ଊର୍ମି
ଊର୍ମି
ସାଗର ବୁକୁର ପ୍ରଶସ୍ତ ବୁକୁରେ
ଊର୍ମି ର ନୃତ୍ୟ ଅପୂର୍ବ
କେବେ ଉତ୍ତାଳତା କେବେ ନିମଗ୍ନତା
କେବେ ଯେ ଉଦ୍ଦାମ ଭାବ ।
ସାଗର ରାଜାର ଅଲିଅଳୀ ଝିଅ
ନୀଳ ଶାଢୀ ପିନ୍ଧି ଆସେ
ଫେନୀଳ ରଙ୍ଗରେ ସଜାଇ ହୋଇ ସେ
ମନ୍ତ୍ର ମୁଗ୍ଧ କରି ଭାସେ ।
ଆଦ୍ୟ ଅଗୋଚ଼ର ଅନ୍ତ ଅଗୋଚ଼ର
ଅସୀମ ଚାରଣ ସ୍ଥଳ
ନାଚି ନାଚ଼ି ଆସି ମନ ମୋହିଯାଏ
ସତେ ଆନମନା ଝିଅ |
ଆସେ ନାଚି ନାଚ଼ି ଆନନ୍ଦ ପରଶି
ବେଳାଭୂମି ସିକ୍ତ କରେ
ହେଲେ ରହେ ନାହିଁ ମୋହେ ବାନ୍ଧି ହୋଇ
ଶୀତଳ ସ୍ପର୍ଶରେ ଭରେ ।
ବେଳାଭୂମି ପାଦ ଧୋଇ ଦେଇ ଯେବେ
ସାଗର ଶଯ୍ୟାକୁ ଫେରେ
ଶାନ୍ତ ହୋଇ ଯାଏ ବେଳାଭୂମି ଛୁଇଁ
ସତେ ଭାବମୟ ହୁଏ ।
କେବେ ପୁଣି ଊର୍ମି ଚପଳ ଛନ୍ଦରେ
ବେଳାଭୂମି ଲଙ୍ଘି ଯାଏ
ଆନମନା ହୁଏ ବିକଳ ଅଧିରେ
ବେଳାଭୂମି ଚାହିଁ ଥାଏ ।
ଦୂରକୁ ଚାହିଁଲେ ଚପଳତା ହଜେ
ଗଭୀର ପ୍ରେମରେ ମଜେ
ଦିଗ୍ ବଳୟ ଛୁଇଁ ପ୍ରଣିପାତ ହୁଏ
ଆକାଶ ଗଙ୍ଗାରେ ଭିଜେ |
ଊର୍ମି ଆସେ ପୁଣି ଫେରାଇ ଦେବାକୁ
ବେଳାଭୂମିର ସଂପଦ
ରଖିବା ତାହାର ଧର୍ମ ନୁହଁ ବୋଲି
କହିଦିଏ ଦୁଇପଦ |
ସାଗର ବୁକୁରେ ମଣି ଓ ମୁକୁତା
ନଉକା ଖେଳେ ଊର୍ମିରେ
ତା ପରିବାରରେ କେତେ ଜୀବ ଯନ୍ତୁ
ନିଶ୍ଚୟ ଘଟଣା ଘଟେ ।
ହେଲେ ସ୍ଵ ଧର୍ମରେ ସ୍ୱକର୍ମ ରେ ରତ
ଊର୍ମି ଯେ ଚ଼ପଳ ଛନ୍ଦା
ବେଳା ଭୂମି ପାଶେ ବାନ୍ଧି ହୁଏ ନାହିଁ
ସେ ପରା ପ୍ରୀତି ସୁଗନ୍ଧା ।
ଜୀବନ ବେଳାରେ କେତେ ଊର୍ମି ମାଳା
ସିକ୍ତ କରି ଦେଉଥାଏ
ଊର୍ମି ଶିଖାଇଛି କର୍ମର ପ୍ରେରଣା
ଯାହା ମୋହ ମୁକ୍ତ ଥାଏ ।
ଊର୍ମିକୁ ଦେଖିଲେ ପବିତ୍ର ଭାବନା
ମନେ ଲେସି ହୋଇ ଯାଏ
ଯେଉଁଠୁଁ ଆସଇ ଆନନ୍ଦ ବାଣ୍ଟଇ
ପୁଣି ଫେରି ଚାଲି ଯାଏ ।
ଅସୀମରୁ ଆସି ଊର୍ମି ନାଚି ନାଚି
ଜୀବନ ଦର୍ଶନ କୁହେ
ଭାବୁକ ମନରେ କେତେ ଭାବ ଦିଏ
କବିର କବିତା ହୁଏ ।