ମୁହଁରେ ବାନ୍ଧିଛି ତୁଣ୍ଡି
ମୁହଁରେ ବାନ୍ଧିଛି ତୁଣ୍ଡି
ଏକ ଘନ କଳା ଆସ୍ତରଣେ
ଘେରା ଏଇ କ୍ଷଣଦା
ହଠାତ୍ ନିରୀହ ଜୀବନ ଟା କ୍ଷଣାୟୁ
ନ ଜାଣି ବିଳାସପୂର୍ଣ୍ଣ ମନୁଷ୍ୟଙ୍କ ଅଶ୍ରାବ୍ୟ କଥା,
ଏହା ତ କ୍ଲୀବ ର ପରିଚୟ ।
ଉଛୃଖଂଳେ ରକ୍ତର ହୋଲି ......
ଖେଳି ଯାଏ ବିଭୀଷିକା
ଚାପା କଣ୍ଠ ସ୍ଵରରେ ସାଲିସ୍
ମଝିରେ ମଝିରେ ବାଜି ଉଠେ ପାଉଁଜି
କଙ୍କଣ କ୍ୱଣ ।
ପକ୍ଷୀଟି ଛଟପଟ କୁଲାୟରେ
ଉତ୍ପୀଡକ ସମ୍ମୁଖରେ ଅଗ୍ନିପରୀକ୍ଷା .......
ନିରାଶ୍ରୟେ ସ୍ଥାଣୁ
ଅବି, ମୁହିର କି ଜାଣେ ଦୟା ନା କ୍ଷମା
ଆଖି ଆଗରେ କଷା ମାଂସର ପିଆଲା ,
ଯୁଥ ଯୁଥ କାମୁକ ଶକ୍ତି
ଯୂପ ନିର୍ମାଣରେ ନିମଗ୍ନ
ତୃଷିତ ମନର ଶାନ୍ତି ପାଇଁ ଯୂଷର ପ୍ରସ୍ତୁତି ।
ଆଖି ଆଗରେ ଝରା ଶେଫାଳୀ ସୁପାତି
ମୁକ୍ତ ଗଗନ ତଳେ ଖଣ୍ଡ ଖଣ୍ଡ ବଉଦ ଉହାଡୁ
ଚାନ୍ଦିନୀର କି ଅପୂର୍ବ ଦୃଶ୍ୟ ।
"ଏଇ ଆମରି ପରିବେଶ
ଏଇ ଆମର ସଂସ୍କାର
ଏଇଠି ଖେଳୁ ରକ୍ତର ହୋଲି
କରି ପାରୁନୁ ତିରସ୍କାର" ।