ପଥ ଅସରନ୍ତି
ପଥ ଅସରନ୍ତି
ଚାଲିବାର ନାହିଁ ଶେଷ ପଥ ପରା ଏଠି ଅସରନ୍ତି
ଠିକଣା ଜାଗାରେ ସବୁ ହଜିଯାଏ ଦୁନିଆର ଶାନ୍ତି ।
ଆଜି ଅଛି କାଲି ନାହିଁ ଆମେ ସବୁ ଦିଗହଜା ଯାତ୍ରୀ
ଯିଏ ଯା'ବାଟରେ ଯିବେ ଆସିଗଲେ କାଳ ଅମାରାତ୍ରୀ ।
କୋଉଠୁ ଆସିଛି କିଏ କୋଉଠିକି କିଏ ଅବା ଯିବ
ଆମେ ସିନା ଜାଣିନାହୁଁ ଜାଣିଅଛି ସେ ବିଶ୍ୱ ଦଇବ।
ତଥାପି ଦୁଃଖର ହାଟେ ବିକାହୁଏ ସୁଖର ଦଉଡ଼ି
ଅଭାବୀ ଲୋକ ବି ଚଢ଼େ ଅନ୍ଧାରରେ ଆଲୁଅର ଶିଡ଼ି ।
ଜୀବନର ଗାଡ଼ି ଚାଲେ ଅଙ୍କାବଙ୍କ ଖରାଛାଇ ଡେଇଁ
'ତୁମେ' ଥିବ 'ମୁଁ' ନଥିବି ମୋ ପାଖରେ ସଂଜ ଯିବ ନଇଁ ।
ଆମର ଏ ରାଗଋଷା,ହସ,କାନ୍ଦ,ମାନ,ଅଭିମାନ
ସବୁତ ମିଳେଇ ଯିବ ଡାକୁଅଛି ଦୂରରୁ ଶ୍ମଶାନ ।