STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଘାଣ୍ଟ

ଘାଣ୍ଟ

1 min
184

ତୁମେ ତାକୁ ଭିନ୍ନ ଭିନ୍ନ ପରିବାର ମିଶ୍ରଣରେ

ସଠିକ ଭାବନାର ମସଲା ଯୁକ୍ତ

ସଂସ୍କାରର ଉଚିତ ଛୁଙ୍କ ଦିଆ

ଏକ ସ୍ୱାଦିଷ୍ଟ ଘାଣ୍ଟ କହିପାର। 


ସେଥିରେ ନିରସ ଆଳୁ ସାଥେ

ନମନୀୟ କଖାରୁ ବି ଥାଏ

କୁଣ୍ଡେଇ ହେବା ପରି ସାରୁ ସହ ପୁଣି

ଅଦା ଓ ଲଙ୍କାର ରାଗ ମଧ୍ୟ ଥାଏ।

ଅମୃତଭଣ୍ଡାର ଖିରୁଆ ବାସ୍ନା ସହ

ଖମ୍ବଆଳୁର ରୁକ୍ଷତା ବି ଥାଏ

ବିଲାତିବାଇଗଣ ଓ ଓଉର ଖଟା ସାଙ୍ଗକୁ

ଗାଜର ଓ ବିଟର ମିଠା ମଧ୍ୟ ଥାଏ। 

ବୁଢ଼ା କାକୁଡ଼ି ସହିତ ପୁଣି

କଷି କାଙ୍କଡ଼ ବି ଥାଏ। 

ଏମିତି କେହି କାହା ସହ ଖାପ ଖାଉନଥିବା

ପରିବା ମାନଙ୍କର ଏକତ୍ର ମିଶ୍ରଣରେ

ଘାଣ୍ଟ ପୁରା ଭରପୁର ଥାଏ। 


କିନ୍ତୁ ଭଲ ପାଇବାର ଲୁଣ

ସଂସ୍କାରର କଡ଼ା ଛୁଙ୍କ

କିଛି ଆକଟ ଓ ଶାସନର ଜିରାଲଙ୍କା ଗୁଣ୍ଡ

କିଛି ମତାନ୍ତର ଓ ମନାନ୍ତରର ଗରମ ମସଲା

ଓ ସହନଶୀଳତାର ଧନିଆ ପତ୍ରର ବାସ

ଚମକାଇ ଦିଏ ଘାଣ୍ଟର ସ୍ୱାଦକୁ

ହାତ ଚାଟି ଖାଇବାକୁ

ସବୁ ହୃଦ ଅନାୟାସେ ଲାଳାୟିତ ହୁଏ। 


ଭାବନାର ରସ ଯଦି ଫିକା ପଡ଼ିଯାଏ

ପ୍ରେମର ଲବଣ ଯଦି କମବେଶୀ ହୁଏ

କେଉଁ ପରିବା ଯଦି ସିଝି ଫିଟିଯାଏ

କେଉଁ ପରିବା ଯଦି ଦରସିଝା ରୁହେ

ସଂସାରର ଅତ୍ୟଧିକ ଆଞ୍ଚରେ ଯଦି

କେବେ କାଳେ ତଳେ ଲାଗିଯାଏ

ଘାଣ୍ଟର ପାଗଟା ପୁରା ବିଗିଡ଼ି ଯାଏ। 


ହଁ ଅନେକ ଥର ସ୍ୱାଦ ବିଗିଡ଼ି ଯାଏ ସତ

କିନ୍ତୁ ଲୁଣ ଟିକେ ଛିଞ୍ଚି ଦେଇ

ଆଉ ଟିକେ ଭାଗମାପ ସଜାଡି ଦେଲେ

ଫେରିଆସେ ସ୍ୱାଦ ପୁଣି 

ରସନାକୁ ତୃପ୍ତିରେ ଭରିଦେବା ପାଇଁ। 


ହଁ ଏଥିରୁ କେଉଁ ଗୋଟିଏ ବି ଉପାଦାନ 

ଏକା ଏକା ଖାଦ୍ୟ ଅନୁପଯୋଗୀ

ଓ ସ୍ୱାସ୍ଥ୍ୟ ହାନିକର

କେହି କେହି ଏକା ରନ୍ଧନ ଉପଯୋଗୀ ସତ

କିନ୍ତୁ ଘାଣ୍ଟ ତରକାରୀର ସ୍ୱାଦ ଦେବାକୁ

ସମ୍ପୂର୍ଣ ଅକ୍ଷମ। 


ତେଣୁ ଟିକେ ପରିଶ୍ରମ ହେବ ସତ

କିନ୍ତୁ ଘାଣ୍ଟ ରାନ୍ଧି ଚାଲ

ଖାଇ ଚାଲ ଓ ଖୁଆଇ ଚାଲ

ସ୍ୱାଦ ନେଇ ସ୍ୱାଦ ବାଣ୍ଟି

ନିଜ ସହ ସମାଜକୁ ସୁସ୍ଥ ରଖିଚାଲ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract