STORYMIRROR

Gouranga Patel

Abstract

3  

Gouranga Patel

Abstract

ସିଦ୍ଧି

ସିଦ୍ଧି

1 min
185


ବିଚଳିତ କାହିଁପାଇଁ

ଧୁ ଧୁ ଖରାରେ ଅସ୍ତବ୍ୟସ୍ତ ହେଇସାରିଛୁ

ଏବେ ବର୍ଷାରେ ଭାସି ଯା

ଶୀତ ଆସିବ କଅଁଳିଆ ଉଷ୍ମ ପରସ୍ତତଳେ

ଢାଙ୍କିହେଇ କେବଳ ମୁହଁଟା ବାହାରକୁ ରଖିଥିବୁ

ଦେଖିଛୁତ ! ନିଆଁରେ ତରଳି ଯିବାପରେ

ସୁନା କେମିତି ଚକ୍ ଚକ୍ ଚମକେ ।

ଢଳ ଢଳ ହେଇଥିବା ରୂପାରସ ଛାଞ୍ଚରେ ଢାଳି

ପିଟି ପିଟି ସାବାଡ଼ କଲାପରେ

ମନମୋହିନୀ ରୂପରେ ଆକାର ନିଏ

ବିନା ଥରଥରିଆ କଷ୍ଟରେ

କିଛି ବି ଚମତ୍କାର ଆଶା କରିବୁନି

କ'ଣ ଭାବିଛୁ ଆରାମରେ . . . ଆରାମରେ

ଅକ୍ଳେଶରେ ପାଇଯିବୁ ?

ଯଦି କିଛି ଚାହୁଁ ପରିବର୍ତ୍ତନ ତାହେଲେ ଶୁଣ

କଠିଣ ରୁ କଠିଣ ଅବସ୍ଥା କୁ ସାମ୍ନା କରିବାକୁ ପଡିବ

ତାପରେ, ହେଇପାରେ ଉଦ୍ଗତ ହେବୁ 

ତୋ ଇପ୍ସିତ ସ୍ଥିତିରେ ।


ସେଦିନ ତୁ

ଧୋ ଧୋ ବାୟାଗୀତ ଶୁଣୁଥିଲୁ

ଜହ୍ନମାମୁଁକୁ ସାକ୍ଷୀରଖି

କେତେ ଭାତ ଡାଲମା ଚକଟା

ଟକ ଟକ ଗିଳିଦେଉଥଲୁ

ଆଉବି ଗାଈ ପାଇଁ ଗୋଟିଏ ଗୋଲା

ତା'ବାଛୁରୀ ପାଇଁ ଆଉ ଗୋଟିଏ ରଖୁଥିଲୁ ।

ସେ ସ୍ୱାଦ ଆଉ ଆଜିର "ମ୍ୟାଗି" ଭିତରେ

ପ୍ରତିଯୋଗୀତା ହେଲେ କେଜାଣି କିଏ ଜିତିବ ?

ଗାଁ ବଡଦାଣ୍ଡ ରେ ବରବାବୁର ବରାତଗମନ ଭିଡରେ ବାପାଙ୍କ କାନ୍ଧରେ ବସି ଦେଖଣାହାରୀ ଭାବେ

ଆଃ ! କି ଉଲ୍ଲାସ

ଆଉ ବି ନଦୀପାର ହୋଇ

ଆରଗାଁ ସ୍କୁଲକୁ ପଢିବାପାଇଁ ଯିବା ଟା

କ'ଣ କଷ୍ଟ ନ କରିଛୁ ତୁ !

ଆଜ୍ଞାଙ୍କର ତାଗିଦ ଓ ସୁନ୍ଦର ଢଙ୍ଗରେ ପାଠପଢ଼ାର ବି ସୋପାନ ବି ଡେଇଁ ସାରିଛୁ

ଏବେ ତୋ'ର ସମୟ ଆସିଛି

କିଛି କରିକି ଦେଖାଇବାପାଇଁ,

ଆଜିର ତୁ ମିମାଂସାରେ ଘରଲୋକଠୁ ପରଲୋକ

ସଭିଏଁ ନିକିତିରେ ତଉଳିବେ,

ତା'ପରେ,

ମିଶାଣ ଫେଡାଣ ରେ ମନମାଫିକ ମୂଲ୍ୟ ଲଭିବୁ ତ ଠିକ

ନହେଲେ ତୁ ତୋର ହୋଇ ରହିଯିବୁ,

କେହି ଭାଉ ଦେବେନାହିଁ

ଅବଶେଷରେ ଜଣାପଡିଯିବ

ତୁ . . .ଏକ ଜନସାଧାରଣ

ଅଥବା ଏକ ସିଦ୍ଧ, ସାବଲୀଳ ବ୍ୟକ୍ତିବିଶେଷ ।



Rate this content
Log in

Similar oriya poem from Abstract