ଆହେ ଜଗନ୍ନାଥ ତୁମ୍ଭରି ଯୋଗୁଁ
ଆହେ ଜଗନ୍ନାଥ ତୁମ୍ଭରି ଯୋଗୁଁ


ଗାଆଁ ସହର ଓ ଦେଶ ବିଦେଶୁ
ଆସନ୍ତି ଶ୍ରଦ୍ଧାଳୁ ଶିରି କ୍ଷେତର,
ଆହେ ଜଗନ୍ନାଥେ ତୁମ୍ଭରି ଯୋଗୁଁ
ହେଲା ଅଞ୍ଚଳର ଭାଗ୍ୟ ଉଦୟ ।
ଆସିବା ଯିବାଙ୍କ ଧାଆଁ ଦଉଡ
ଅଟୋ ହେଉ ଅବା ରିକସା କୁହ,
ଯାନ ବାହନ ଆସ୍ଥାନ ସ୍ଥଳଠୁ
ରେଳବାଇ ଯାଏଁ ସବୁଠି ଭିଡ ।
ଅବଢ଼ା, ନିର୍ମାଲ୍ୟ, ଟଙ୍କ ତୋରାଣି
ଖଜା, ପେଡା, ମୁଆଁ, ମିଷ୍ଟାନ୍ନ ଆଦି;
ଅନ୍ନ, ଡାଲି, ଖିରି, ପ୍ରସାଦ କିଣି
ଆନନ୍ଦ ବଜାରେ ଭୁଞ୍ଜନ୍ତି ବସି ।
ବଡଦାଣ୍ଡ ଶୋଭା ସନ୍ଧ୍ୟା ସମୟେ
ପର୍ଯ୍ୟଟକ ହୃଦ ବିଭୋର କରେ,
ଦୁଇ ହାତ ଟେକି ଭକତ ଆପେ
ଜୟ ଜଗନ୍ନାଥ ଶଦ୍ଦ ଉଚ୍ଚାରେ ।
ଦୋକାନ ବଜାର ସବୁଜାଗାରେ
ମନୋହାରୀ ବସ୍ତୁ ଆଖି ଲୋଭାଏ,
ପ୍ରଭୁଙ୍କର ଢାଞ୍ଚା କାଠ ଦେହରେ
ନକିଣିବା ଲୋକ କିଣି ପକାଏ ।
p>
ପାଦ ଥାପୁ ଥାପୁ ସମୁଦ୍ର କୂଳେ
ମେଣ୍ଟିଯାଏ ଥକ୍କା ଲୁଣି ପରଷେ,
ଜାକ ଜମକର ବାଲି ପଠାରେ
ନାନା ବିଧ ଖାଦ୍ୟ ମନକୁ ରସେ ।
ସହସ୍ର ଆସନ୍ତି ତୁମ୍ଭରି ପୁରୀ
ଦରଶନ ଅନ୍ତେ ଭ୍ରମଣ ପୁଣି,
ପର୍ଯଟନ ସ୍ଥଳ ରହିଛି ଘେରି
ବ୍ୟବସାୟ ଏଥୁ ହୁଅଇ ବୃଦ୍ଧି ।
ଧାମ ମଧ୍ୟେ ପୁରୀ ଅଟଇ ଏକ
ଜନ ସମାଗମ ତେର ପରବ,
ରହିବା ଖାଇବା ବାକି ବ୍ୟବସ୍ଥା
ଷୋହଳ ଅଣାତ ଚାଲେ ବେପାର ।
ନୀତି କାନ୍ତି ଲାଗି ନାନା ଜିନିଷ
ପାଟ ବସ୍ତ୍ର ହେଉ ପହଣ୍ଡି ସାଜ,
ଦୂର ଦୁରାନ୍ତରୁ ହୁଏ ବରାଦ
ମନ୍ଦିର ଅଛି ତ ବଞ୍ଚିଛି ଶିଳ୍ପ ।
ତୁମ ଉପସ୍ଥିତି ପୁରୀରେ ଯେଣୁ
ଡୋରି ଲଗାଉଛ ବଢୁଛି ଶ୍ରୋତ,
ଯେଣୁ ବ୍ୟବସାୟ ବରଷ ଯାକ
ତହିଁରୁ ସମୃଦ୍ଧ ସାରା ଅଞ୍ଚଳ।