ତରୁ ବିନା ଲତା କାହୁଁ ଆଶ୍ରୟ ପାଇବ
ତରୁ ବିନା ଲତା କାହୁଁ ଆଶ୍ରୟ ପାଇବ
ବିନା ଆସରାରେ ଲତା କି ବଂଚିବ
ଧରାରେ ଲୋଟି ବଢ଼ିବ
ତରୁ ଦେହେ ଜଡ଼ି ଆଶ୍ଳେଷେ ଆଦରି
ଗୁଣ ବିସ୍ତାର କରିବ ।
ଆଶ୍ରୟ ଦାତା ସେ ଭରସା ଦାନରେ
ଜୀବନ କୁ ରାହା ଦିଏ
ନାରୀ ଟିଏ ସଦା ବିଶ୍ୱାସ ଭରସା
ଅନ୍ତର ଆଳାପ ଚାହେଁ ।
ପ୍ରତି ଜୀବନର ଅଗ୍ରଗତି ପାଇଁ
ତରୁ ସମ କେହି ଲୋଡ଼ା
ପରିବାରେ ତରୁ ମୁରବି ଅଟଇ
ଲତା ସମ ସର୍ବେ ବେଢ଼ା ।
ନାରୀ ଲତା ସମ ଶିଶୁ ବୟସରେ
ପିତା ତା ଭରସା ତରୁ
ସେ ତରୁ ବିଶ୍ୱାସ ଭରସା ଆହ୍ଲାଦେ
ନାରୀ ହୋଇ ଯାଏ ଗୁରୁ ।
ଭାଇ ହାତେ ରାକ୍ଷୀ ବାନ୍ଧି ଯେ ଭଉଣୀ
ବିଶ୍ଵାସ ଭରସା ମାଗେ
ସ୍ନେହ ପଖଳା ସେ ସମ୍ପର୍କର ସୂତ୍ର
ଜୀବନ ଆନନ୍ଦ ସଙ୍ଗେ ।
ଲତା ଟି ଯେସନ ଆଶା ଭରସାରେ
ତରୁ ର ଆଶ୍ଳେଷ ଚାହେଁ
ନାରୀ ଟିଏ ଖୋଜେ ବିଶ୍ୱାସ ଭରସା
ପୁରୁଷ ସ୍ୱାମୀ ରୂପରେ ।
ଦାମ୍ପତ୍ୟ ଜୀବନ ମହ ମହ ବାସେ
ପ୍ରେମ ଯଦି ହୃଦେ ଥାଏ
ଆଶ୍ରୟ ଦେଇ ଯେ ଅହଂକାରୀ ହେଲେ
ବିଷ ଉଦ୍ଗୀରଣ ହୁଏ ।
ନାରୀ ର ପୂର୍ଣ୍ଣତା ମାତା ପଦ ପାଇଁ
ପୁରୁଷ ତାର ପାଥେୟ
ନାରୀ ଭିତରର ସାହସ ଓ ବଳ
କରିପାରେ ମନ ଜୟ ।
ତରୁ ବି
ନା ଲତା ମୁଣ୍ଡ ଟେକେ ନାହିଁ
ତଳେ ଲୋଟି ପ୍ରାଣ ଯାଏ
ନାରୀ ଓ ପୁରୁଷ ପରିପୂରକ ଯେ
ଦୁହିଁଙ୍କର ଲୋଡ଼ା ଥାଏ ।
ଶରୀର ଗଠନେ ଭିନ୍ନତା ଦୃଷ୍ଟିରୁ
ନାରୀ ନିଜକୁ ସଂଯମେ
ତରୁ ଯଦି ଦିଏ ଭରସା ବିଶ୍ଵାସ
ଲତା ସୌନ୍ଦର୍ଯ୍ୟ ଆଗମେ ।
ତରୁ ଛତ୍ରଛାୟା ପୁରୁଷର କାୟା
ପ୍ରେମ ଓ ପ୍ରୀତି ରେ ଛନ୍ଦା
ନାରୀ ଅଟେ ପୁଣି ପଥ ପ୍ରଦର୍ଶନୀ
ପୁରୁଷ ବିଶ୍ୱାସେ ବନ୍ଧା |
ଏମିତି ବି ଲାଗେ ତରୁ ଯେ ପରମ
ଜୀବ ଅଟଇ ଯେ ଲତା
ପରମ ସହିତ ଜୀବ ର ସଂପର୍କ
ମୋହଶୂନ୍ୟ ସେ ସଂହିତା ।
ତରୁ ଛତ୍ରଛାୟା ସଭିଙ୍କୁ ଯେ ଲୋଡ଼ା
ସେ ପରା ପ୍ରଭୁଙ୍କ ପ୍ରେମ
ସେ ତରୁ ଅଟଇ ବଡ଼ ଆଶ୍ରୟ ଟେ
ତା ସଙ୍ଗ ଯେ ଅନୁପମ ।
ତରୁ କରେ ନାହିଁ ଅହଂକାର କେବେ
ଲତାଟିଏ ମାଡ଼ି ଗଲେ
ସନ୍ତୋଷ ଲଭେ ସେ ସହଯୋଗ ଦାନେ
ସହନଶୀଳତା ବଳେ ।
ନାରୀ ପୁରୁଷ ଙ୍କ ସ୍ନେହ ପ୍ରୀତି ବଳେ ପ୍ରେମର ଗଙ୍ଗା ଝରଇ
ଜୀବ ଓ ପରମ ପ୍ରେମ ଆଶ୍ଳେଷରେ
ମୋହ ଶୂନ୍ୟତା ଆସଇ ।
ଆଶ୍ରୟ ଦାତା ତ ଜଣେ ବସିଅଛି
ଯୋଜନା ସଭିଙ୍କ ପାଇଁ
ତା' ଆଶ୍ରୟ ନେଇ ପଥ ଚ଼ାଲୁ ଥିଲେ
ଅନ୍ୟ କିଛି ଲୋଡ଼ା ନାହିଁ ।