ଉଠ କଳା କାହ୍ନୁ
ଉଠ କଳା କାହ୍ନୁ
ଉଠ କଳା କାହ୍ନୁ, ଉଦେ ହେଲେ ଭାନୁ
ଡ଼ାକନ୍ତି ଯଶୋଦା ମାଆ
ସଜାଡି ରଖିଛି ସର ଓ ଲବଣୀ
ଖାଇବୁ ଧନରେ ଆ ଆ ।
ବଡଭାଇ ହଳୀ, ନିତ୍ୟ କର୍ମ ସାରି
ଅପେକ୍ଷା କରିଛି ତୋତେ
ଉଛୁର ନ କରି ଶଯ୍ୟା ତ୍ୟାଗ କରି
ଆସି ପହଞ୍ଚ ତୁରିତେ ।
ସୁର୍ଯ୍ୟ ଉଦୟ ପରେ ଉଠିଲେ ବାବୁ
ଦେହ ଖରାପ ହୋଇବ
ବଳ, ବୀର୍ଯ୍ୟ, ନାଶ ହୋଇବରେ ଧନ
ଆୟୁଷ ଯେ କମିଯିବ ।
ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ, ଶୌଚ,ଆଦି
କରନ୍ତି ଯେଉଁ ମନୁଷ୍ୟ
ଆୟୁ,ଯଶ ବଢ଼େ ରୋଗ ଡରେ ତାଙ୍କୁ
ଆଳସ୍ୟ ନ ଆସେ ପାଶ ।
କାକ ଓ କୁକ୍କୁଟ , ରାବ ଦେଇ କରି
ଉଠାନ୍ତି ଆମକୁ ଧନ
ପ୍ରଭାତ ହୋଇଲେ ବଉଳୀ, ଶ୍ୟାମଳୀ
ହମ୍ବା ରଡ଼ି ଶୁଭେ ଜାଣ ।
ସୁଦାମ, ସୁବଳ ଓ ମଧୁ ମଙ୍ଗଳ
ଗୋରୁ ନେଇ ଯିବେ ବନ
ଡେରି ହେଲେ ତୋତେ ଛାଡି ଚାଲି
ଯିବେ ଉଠ ମୋ ରଙ୍କ ରତନ ।
ଯିବି ଯମୁନାକୁ ପାଣି ଆଣିବାକୁ
ଡାକିଲେଣି ଗୋପ ଗୋଇ
ଉଠରେ ମୋ ଧନ ଭାଙ୍ଗିଣ ସପନ
ଚାହିଁ କି ପଡ଼ନା ଶୋଇ ।
ମାତା ଡାକ ଶୁଣି ପ୍ରଭୁ ନୀଳମଣି
ଶଯ୍ୟା ତେଜିଣ ଆସିଲେ
ମୁହଁ ଧୋଇ ମାତା ପଣତ କାନିରେ
ଆନନ୍ଦେ ମୁହଁ ପୋଛିଲେ ।
ଧନ୍ୟତୁଯଶୋଦା ଧନ୍ୟତୋ ତପସ୍ୟା
ପୁତ୍ର ରୁପେ ପାଇ ହରି
ଜୀବନ ତୋହର ଧନ୍ୟ ହୋଇଗଲା
କୋଳରେ ପ୍ରଭୁଙ୍କୁ ଧରି ।
ମାଆ ପୁଅଙ୍କର ପାଦ ପଙ୍କଜରେ
ଶରଣ ପଶୁଛି ମୁହିଁ
ପାରି ହୋଇ ଯାଏ ଏ ଭବ ସାଗର
କୃଷ୍ଣ ନାମ ଗାଇ ଗାଇ ।