ତୁମର ସେଇ ନାଲି ପାନପତ୍ରର ଷ୍ଟିକର
ତୁମର ସେଇ ନାଲି ପାନପତ୍ରର ଷ୍ଟିକର
ତୁମର ସେହି ନାଲି ପାନପତ୍ର ଚଷମା ଵାଲାର ଷ୍ଟିକର
ଭୁଲେଇ ଦିଏ ଦୁଃଖ ଶୋକ ସବୁକିଛି ମୋର
ଭୁଲେଇ ଦିଏ ଭିତରେ ଭିତରେ ଦାନା ବାନ୍ଧୁଥିବା କୋହ
ଆଉ ଉଛୁଳି ଆସୁଥିବା ଅଶ୍ରୁକୁ ଠେଲି ଠାଲି ଚାପିଦିଏ ଭିତରେ
ତୁମର ସେହି ନାଲି ପାନପତ୍ରର ଚଷମାଵାଲା ଷ୍ଟିକର
ଜହ୍ନ ତାରା ସହ କଥା ହେବା ପାଇଁ ରଖିଦିଏ ରାତି ରାତି ଉଜାଗର
ବୁଣିଦିଏ ମନରେ ନାହିଁ ନ ଥିବା ଭାବନାର ମୁରୁଜ
ଜୀଆଁଇ ରଖେ ମୋତେ ଆଶାଟିଏ ଦେଇ
ସ୍ବପ୍ନକୁ ନିଜର କରିନେବା ପାଇଁ ହାତମୁଠାରେ
ତୁମର ସେହି ନାଲି ପାନପତ୍ରର ଚାଷମାବାଲା ଷ୍ଟିକର
କେତେବେଳେ ଚୋରାବାଲି ପରି ଟାଣିନିଏ ଭିତରକୁ ଭିତରକୁ
ପୁଣି କେତେବେଳେ ମରୁବାଲିର ତୃଷ୍ଣା ପରଷିଦିଏ
ଆଉ କେତେବେଳେ ଇନ୍ଦ୍ରଧନୁର ରଙ୍ଗକୁ ସତ ଭାବିବାକୁ ବାଧ୍ୟ କରେ,
ତୁମର ସେହି ନାଲି ପାନପତ୍ରର ଚାଷମାବାଲା ଷ୍ଟିକର
ଆଶା ଓ ଆଶଂକାର ଫେଣ୍ଟାଫେଣ୍ଟି ଅନୁଭବ ଦେଇ
ନିଜ ସ୍ଥାନରେ ନିଶ୍ଚିନ୍ତରେ ବସିରହେ, ହସୁଥାଏ,
ପୁଣି ଆଉକିଛି ନୂଆ ନୂଆ ଅନୁଭବ ଦେବା ଅପେକ୍ଷାରେ