ତୁମେ କରୁଣା ସାଗର
ତୁମେ କରୁଣା ସାଗର
ଅପଲକ ତୁମ ଚକାନୟନ
ଅଦ୍ଭୁତ କି ଆକର୍ଷଣ
ରହିଛି କୁହୁକ କି ଯାଦୁ ମନ୍ତର
ଟାଣିନିଏ ସ୍ବତଃ ମନ ।
ସବୁରି ହୃଦୟେ କରୁଛ ନିବାସ
ତୁମେ ତ ବିଶ୍ବ ନିୟନ୍ତା
ବୁଝିପାର ତୁମେ ନ କହିଲେ ମଧ୍ଯ
ଭକତର ମନକଥା ।
ତୁମେ ସର୍ବବ୍ୟାପୀ ଅମୃତ ନିର୍ଯ୍ୟାସ
କରୁଣାର ପାରାବାର
ଭାବ ଭକ୍ତି ପ୍ରେମ ତୁମେ ଜଗନ୍ନାଥ
ଲୀଳା ତୁମ ସୁମଧୁର ।
ତୁମେ ଜୀବନର ଲକ୍ଷ୍ଯ ସର୍ବ ଶ୍ରେଷ୍ଠ
ଧର୍ମ ଅର୍ଥ କାମ ମୋକ୍ଷ
ଲଗାଅ କୂଳରେ ହେ ଭବ ନାଉରୀ
ଅସହାୟ ମୁଁ ଅରକ୍ଷ ।
ବଡଦାଣ୍ଡ ଧୂଳି ମୁଣ୍ଡରେ ମୁଁ ବୋଳି
ମଣୁଛି ଜୀବନ ଧନ୍ଯ
ଦେଖି ରଥଯାତ ଆତ୍ମା ମୋ ସଂତୃପ୍ତ
ଆଶା ମୋର ପୂର୍ଣ୍ଣକାମ ।
ବିରାଜ ପ୍ରଭୁ ହେ ଶ୍ରୀନୀଳକନ୍ଦରେ
ହୃଦ ରତ୍ନ ସିଂହାସନେ
ମଧୁପ ମୋ ମନ ରହୁ ସଦା ଲାଖି
ଅଭୟ ଶ୍ରୀ ପାଦପଦ୍ମେ ।