ତୁମେ ଗଲା ପରେ
ତୁମେ ଗଲା ପରେ
ଡାକେ ହାତ ଠାରି ଗିରି ଗୋବର୍ଦ୍ଧନ
କୁଞ୍ଜ ବୃନ୍ଦାବନ ଲାଗେ ବିଷର୍ଣ୍ଣ,
ସବୁଜ କଅଁଳ ଛନ୍ନ ଛନ୍ନ ତୃଣ
ଚାରଣେ ଗୋଗୋଷ୍ଠ ନ ବଳେ ମନ ।
ଲାଗେ ଗୋପଦାଣ୍ଡ ଖାଲି ଶୂନ୍ଯ ଶୂନ୍ଯ
ଶୁଭେ ନାହିଁ କର୍ଣ୍ଣେ ମୂରଲୀ ସ୍ବନ,
ତୁମେ ଗଲା ପରେ ହେ କେଶବ କୃଷ୍ଣ
ଦିଶଇ ମଳିନ ଉଦିଆ ଜହ୍ନ ।
ପ୍ରାତଃ ସାୟଂ କାଳେ ନିଶବ୍ଦ କୁହାଟ
ସ୍ବର ସମବେତ ହାସ୍ୟର ରୋଳ ,
ଗୋଚାରଣ ପାଇଁ ଯିବାକୁ ବନକୁ
ବଳାଉନି ମତି ଗୋପ ଦୁଲାଳ ।
ଭାଣ୍ଡରେ ଲବଣୀ ଗୋଟିକା ଅଧାମ
କନ୍ଦ ପକ୍ବଫଳ ସର ଗୋକ୍ଷୀର ,
ପଡିଲେ ନଜର ଲାଗୁଅଛି ଡର
ଦିଶେ କଳାକାହ୍ନୁ ମୁହଁ ସୁନ୍ଦର ।
ଝୁରନ୍ତି ରାଧିକା ଗୋପେ ଗୋପାଙ୍ଗନା
ଝୁରୁଅଛି ତଟ ନୀଳ ଯମୁନା ,
ପୁକାରେ ମୂରଲୀ ସ୍ବନ ସୁମଧୁର
ମହକୁଛି ପୁଷ୍ପ କଦମ୍ବ ବାସ୍ନା ।
ଗୁମୁରି ଗୁମୁରି କାନ୍ଦୁଛି ହୃଦୟ
ପିଣ୍ଡ ପ୍ରାଣହୀନ ଲାଗେ ଅସାର ,
ଗଲାପରେ ତୁମେ ଓଠେ ନାହିଁ ହସ
ଶୁଖୁନାହିଁ ବହେ ଲୁହର ଧାର ।
