ତୁମେ ବିଜୟିନୀ ବୀର
ତୁମେ ବିଜୟିନୀ ବୀର
ହାତଧରି ଯେବେ ଘରକୁ ଆଣିଲି
ଶଙ୍କା ଜାଗୁଥିଲା ମନ
ଅଜଣା-ଅଚିହ୍ନା ମଣିଷଟା ସହ
କେମିତି କାଟିବି ଦିନ ।
ନୂଆ-ନୂଆ ଥିଲା ମୌନଅବତୀ ଯେ
ଲାଜ ଲାଜ ତୁମ ଭାବ
ବାଦଲରେ ଯେଣେ ଜହ୍ନ ଲୁଚିଯାଏ
ସତେକି ଦୁରେଇ ଯିବ।
ପାଠୁଆ ବୋହୁ ମୋ ଚାକିରୀ କରୁଛି
କେମିତି ଚଳିବ ଘର
ଶାଶୁ- ନଣନ୍ଦଙ୍କ ଚିନ୍ତାର ବାହାରେ
ସବୁବେଳେ ଥିଲା ଡର ।
ସାଇ-ପଡିସା ଯେ ଘିଅ ଢାଳୁଥିଲେ
ନିରତ "ମା" କାନରେ
ପୁରୁଣା କାଳିଆ ମରହଟି ମଣିଷ
ନାଚୁଥିଲା ସେ ଗୀତରେ ।
ଝିମିଟି ଖେଳରୁ ମହାଭାରତର
ଆଦିପର୍ବ ଦିଶୁଥିଲା
ଶାଶୁ-ବୋହୁ ଡ୍ରାମା ବେହାଲ କରିବ
ଜାଣିଲି ସବୁ ସରିଲା ।
ବନ୍ଧୁ-ବାନ୍ଧବଙ୍କ ଭିଡ଼ ସବୁବେଳେ
ବିରତି ନାହିଁ ସେଥିରେ
ଝିଅ-ଝିଆଣିଆ ଯୌଥ ପରିବାର
ଖର୍ଚ୍ଚ ବଢେ 'ଫି-ମାସରେ' ।
ସବୁ ଡର-ଭୟ ଦୂର କରିଦେଲ
ସମ୍ଭାଳି ନେଲ ସେ ଘର
ଭଣଜା-ଭାଣିଜୀ, ଝିଆରୀ- ପୁତୁରା
ସଭିଙ୍କୁ କଲ ନିଜର ।
କେଉଁ ପଦ୍ମତୋଳା ଗାଇଲ କେଜାଣି
ମା ମୋ ତୁମ କଥାରେ
ବାନ୍ଧି ହେଇଗଲା ଛବି ନେନ୍ଥା ହୋଇ
ଗାଇଲା ତୁମରି ସୁରେ ।
ଯାହାକୁ ଯେମିତି ଲୋଡ଼ା ସନମାନ
ଦେଇ କରିଲ ନିଜର
ଅର୍ଧଙ୍ଗିନୀ ଆହେ ମୋ ପ୍ରାଣ-ପ୍ରତିମା
ତୁମେ ବିଜୟିନୀ ବୀର
ତୁମେ ବିଜୟିନୀ ବୀର ।