"ତୁମେ ନିତ୍ୟ-ତୁମେ ସତ୍ୟ"
"ତୁମେ ନିତ୍ୟ-ତୁମେ ସତ୍ୟ"
ହେ ପ୍ରିୟା
ତୁମକୁ ଖୋଜୁଛି ଜନ୍ମ ପରଠାରୁ
ପ୍ରତି କ୍ଷଣେ, ପ୍ରତି ମୁହୂର୍ତ୍ତରେ
ଧରିତ୍ରିର ସବୁଜିମା,ଘନ ନୀଳ ଆକାଶରେ
ସମୁଦ୍ରର ସାତ ତାଳ ପାଣି ଅବା ପବନର ସଂଗୀତରେ
ତୁମେ କିନ୍ତୁ ନିର୍ବିକାର
ଲୁଚି ଲୁଚି ଦେଖୁଅଛ ଶବ୍ଦ ହୀନ ଇଲାକରୁ
ଯେଉଁଠାରେ ପହଂଚିବା ନୁହଁଇ ସହଜ
ହେ ପ୍ରିୟା
ପ୍ରତି ଦିନ ପ୍ରତି ରାତି ପରେ
ପାଦେ ପାଦେ ଆଗକୁ ଯାଉଛି
ଉତ୍ଥାନ ବା ପତନ ର ମାନେ କିଛିନାହିଁ
କ୍ଲାନ୍ତି ହୀନ ଗତି-ବିଶ୍ରାମ ରହିତ
ଚାଲିବାକୁ ଅଛି କେତେ ବାଟ
ରହି ରହି ଶୁଭେ ତୁମ ପାଦଚାଲି ଶବ୍ଦ
ହୃଦୟରେ ଜାଗେ ଏକ ଅଜଣା କମ୍ପନ
ହେ ପ୍ରିୟତମା
ତୁମ ଚାଲି ରୁଣୁଝୁଣୁ ମଦ-ମନ୍ଥର
ଅଳସୀ ପାଦରେ ଫୁଟେ ଇନ୍ଦ୍ରଧନୁ ରଙ୍ଗ
ଧରିତ୍ରୀ ବକ୍ଷରୁ ଉତୁଙ୍ଗ ଶିଖର
ଛୁଇଁବାକୁ ଉନ୍ମାଦ ର ନିତ୍ୟ ପାଗଳାମି
ବାଧା ବିଘ୍ନ ଡେଇଁ ଯିବ ଆଗକୁ ଆଗକୁ
ନିମ୍ନଗାମୀ ଜଳସମ ଅଙ୍କାବଙ୍କା ବାଟେ
ତୁମ ପାଦ ଶବ୍ଦ ଏବେ ଆଉ ଟିକେ ତୀବ୍ର
ଟିକ ଟିକ ଘଣ୍ଟା ହେଇ ସୂଚାଇ ସମୟ
ହେ ପ୍ରିୟା
ଧୀରେ ଧୀରେ କ୍ଳାନ୍ତ ଡେଣା
ଉଡିବାର ଇଛା ଧୀରେ ମାରି ମାରି ଯାଏ
ମାଟିପରେ ଯେତେ ବୁଣିଥିବା ବୀଜ
କାୟା ମେଲି ଉଠିଲେଣି ଖୋଳପା ଭିତରୁ
ଦୁଇ ବାହୁ ରଖିଦେଲେ ସେ କାନ୍ଧ ଉପରେ
ଥକ୍କା ମେଣ୍ଟିଯିବ ଅପରାହ୍ନ ବୟସରେ
ୟେ କଣ ଚାରା ସବୁ ଉଠୁଛନ୍ତି ଉର୍ଦ୍ଧକାଶ ଦିଗେ
କ୍ଳାନ୍ତ-ଶ୍ରାନ୍ତ ଶରୀର କୁ ଶୁଭେ ତୀକ୍ଷ୍ଣ ସ୍ୱର
ହେ ପ୍ରିୟତମା
ତୁମ ରୂପ,ତୁମ କାୟା, ତୁମରି ପରଶ
ଅଙ୍ଗେ ଜାଗେ ଅଚିହ୍ନା ତୀବ୍ର କମ୍ପନ
ଆଖି ଖୋଲି ଦେଖିବାକୁ ପ୍ରୟାସ ସ୍ୱରୂପ
ତୁମେ ଦେଖାଦେଲା ସ୍ମିତ ହାସ୍ୟ ଦେଇ
ଦୁଇବାହୁ ମେଲି କାନରେ କହିଲ
ସମୟ ଅତିକ୍ରାନ୍ତ, ଆସ ଏବେ ମୋ ବାହୁ ଝୁଲାକୁ
ଯିବା ହଜି ଚିରନ୍ତନ ସତ୍ୟ ଭିତରେ
ବ୍ୟତିବ୍ୟସ୍ତ, ନିସ୍ତେଜ ଦେହକୁ ବୁଲାଇ
ଆଖି ମଳି ଦେଖିବାକୁ ପ୍ରୟାସ ଭିତରେ
ତୁମ କଥା,ତୁମ ରୂପ ଉଜ୍ଜ୍ୱଳ ଦିଶିଲା
ହାଥମେଲି ଡାକୁଥିଲ ଭୈରବୀ ରାଗରେ
ଉଦଭାସିତ ରୂପ ଆଖି ମେଲି ହେଇଗଲା
ସ୍ଥିର ଶରୀର ଟା ତୁମ ବାହୁ ବନ୍ଧନରେ
ନିଶବ୍ଦେ ଜୀବନ ସ୍ରୋତ ଏତେଦିନ ଯାଏ
ଧାଉଁଥିଲା ମିଶିବାକୁ "ମୃତ୍ୟୁ" ସିନ୍ଧୁ ନିରେ