STORYMIRROR

Rabindra Mishra

Tragedy

4  

Rabindra Mishra

Tragedy

ଏଇ ତ ମହତ ଦାନ

ଏଇ ତ ମହତ ଦାନ

2 mins
461

ସହର ଟା ଯାକ ପଡିଛି ହୁରୀଜେ

ପାଗଳା ଟା ମରିଗଲା

ବଜାର ମଝିରେ ଅସାଡ଼ ଦେହଟା

ପଡିଛି ମେଲା-ମେଖେଳା ।1।

ମାଛି ଭଣ ଭଣ ଦେହଟାରେ ତାର

ମଳିନ ହେଲାଣି ରଙ୍ଗ

ଜାତି-ଗୋତ୍ର କିଛି ଜଣା ନାହିଁତାର

କିଏ ଦେବ ତାକୁ କାନ୍ଧ ।2।

ପାଖରେ ସେମିତି ଟିଣ ବାକସ ଟା

ଲାଗିଛି ପିତ୍ତଳ ତାଲା

କୁଆ-ବଣି-ପାରା ଥଣ୍ଟ ମାରୁଛନ୍ତି

ବୁଜୁଳା ଟା ଠିଆ ମେଲା ।3।

ନୀତି-ପ୍ରତିଦିନ ଆମ୍ବଗଛ ତଳେ

ଗାଉଥାଏ ବସି ଗୀତ,

ଅଞ୍ଚଳ ଯାକର ବୁଲା କୁକୁରଙ୍କୁ

କରିଥିଲା ତାର ମିତ ।4।

ବଜାର ଫେରନ୍ତା ଲୋକମାନଙ୍କର

ହାତ ଟେକା ଯାହା ମିଳେ

ସେଇ ତା ପ୍ରସାଦ, ସେତିକିରେ ଖୁସି

ଦିବସ ଟା ତାର ଚଳେ ।5।

କାହୁଁ ଦିନେ ଏକ ଅଦିନିଆ ମେଘ

ଝଡ଼ ହେଇ ଦେଲା ପେଷି

ବସ୍ତି ବାସିନ୍ଦାଙ୍କ ମୁଣ୍ଡ ଗୁଞ୍ଜା ଚାଳ

ମାଟିରେ ତ ଗଲା ମିଶି ।6।

ଛୁଆ-ପିଲା ଧରି କଲବଲ ଲୋକେ

ଆଖିରେ ତାଙ୍କର ଲୁହ

ଗୁହାରୀ ତାଙ୍କର ଶୁଭୁନି କାହାକୁ

ଛାତିରେ ଛାତିଏ କୋହ ।7।

ସରକାର କାନେ ବାଜୁନି ଡାକ ଯେ

ନିଦା ଵିଷ୍ଣୁ ପାଲଟିଛି,

ଖୋସଣି ଫିଟାଅ, ମାଲ ଖସାଅ

ତେବେ ହୋଇ ପାରେ କିଛି ।8।

ଆଖି ଥାଇ ଅନ୍ଧ ମଣିଷ ଗୁଡାକ

ତିଳେ ଦୟମାୟା ନାହିଁ,

ପେପର ବାଲାଏ ଫିଚର ଲେଖନ୍ତି

ଟିଭି ବୁଲେ ଘାଇଁ ଘାଇଁ ।9।

ବିଧାନ ସଭାରେ ହାତା-ହାତୀ ନେତା

ପାତିଆରା ନବା ପାଇଁ,

କୁମ୍ଭୀର କାନ୍ଦଣା ପ୍ରେସ ରିଲିଜ

ତାପରେ ପଡ଼ନ୍ତି ଶୋଇ ।10।

ନିୟମ ଦେଖୁଛୁ, ପ୍ରସ୍ତାବ ଦେଇଛୁ

(କହି)ପ୍ରଶାସନ ଦିଏ ଟାଳି,

ପିମ୍ପୁଡି ବାପୁଡା ଅଟକି ଯାନ୍ତି

ହାତୀ କିନ୍ତୁ ଯାଏ ଗଳି ।11।

ବିକଳ ଲୋକଙ୍କୁ ବୁଝାଇ ସୁଝାଇ

ପାଗଳା କରିଲା ଏକ,

ନିଜ ହାତେ ନିଜ ଘରକୁ ସଜାଡ

ଆପଣା ମହତ ରଖ ।12।

ଭିକାରୀଟା କଥା କାହିଁ କେ ଶୁଣନ୍ତା

ଦୌଡ଼ିଲେ ବାୟା ପ୍ରାୟ

ନେତା ଠାରୁ ଦାତା, ସେବୀ ଅଭିନେତା

ମାଗିଲେ ଆମକୁ ଦିଅ ।13।

ପାଇବା ଆଶାରେ ବିତି ଗଲା ଦିନ

ଛାତ ସଜଡ଼ା ନୋହିଲା

ପାଗଳା ଭିକାରୀ କଥାର ମହତ୍ତ୍ୱ

ସବୁରି ମୁଣ୍ଡେ ପଶିଲା ।14।

କେମିତି କରିବୁ ନିଜ ହାତେ ନିଜ

ଉପାୟ ବୁଝିବା ପାଇଁ

ପାଗଳାର ପଶେ ପହଁଚିଲେ ସର୍ବେ

ପାଗଳ ଯେ ଆଉ ନାହିଁ ।15।

ପ୍ରାଣ ପକ୍ଷୀ ଛାଡ଼ିଦେହର ପଞ୍ଜୁରୀ

ଗଲା ଚାଲି ଆଉ କେଉଁଠି,

ଦିଶିଲା ଲୋକଙ୍କୁ ପାଗଳା ହାତରେ

ରହିଛି ଖଣ୍ଡିଏ ଚିଠି ।16।

ଭିକ ମାଗି ଯେତେ ପଇସା ପାଇଛି

ରଖିଛି ତାଲା ପକେଇ

ସେସବୁ ତୁମକୁ ଦେଉଛି ବନ୍ଧୁ ହେ

ଘର ସଜାଡ଼ିବା ପାଇଁ ।17।

ଲୁହ ଭରା ହୃଦେ, କହିଲେ ସମସ୍ତେ

କରୁଥିଲୁ ହୀନିମାନ

ଭିକାରୀ ନୁହେଁ ତୁ ଆମ ଭଗବାନ

ଏଇ ତୋ ମହତ ଦାନ ।18।


Rate this content
Log in

Similar oriya poem from Tragedy