ତୁମ ସ୍ମୃତି
ତୁମ ସ୍ମୃତି


ମନ କୁଞ୍ଜବନ ଆଜି ବାସହିନ
ତଥାପି ମୋ ବଂଶୀରେ ତୁମ ସ୍ମୃତିର ସ୍ଵନ!
କେହି କେହି ଏଠି ମତୁଆଲା ହୁଅନ୍ତି
ମହମହ ଫୁଲର ବାସ୍ନାରେ,
ମୁଁ କିନ୍ତୁ ତୁମ ସ୍ମୃତିର ସୁଗନ୍ଧରେ ନିରନ୍ତର ସମ୍ମୋହିତ।
ଦେଖୁନ!
ଏଠି ଶ୍ରାବଣର ମୁଷଳ ଧାରା ନାହିଁ
ନାହିଁ ପୁଣି ଲଘୁଚାପର ମୃଦୁ ବର୍ଷା,
ତଥାପି ମୋ ଆଖିର ଲୁହ
ଆଉ ମୋ ଦେହର ଝାଳ ମାନେ ବହିଯାଆନ୍ତି
ତୁମ ସ୍ମୃତିର ଉଛୁଳା ନଇଟିଏ ହୋଇ।
ମୁଁ ତ' ବାରବାର ଚାହେଁ........
ସେମାନେ ବନ୍ଧ ଭାଙ୍ଗି ଉଜାଡ଼ି ଦିଅନ୍ତେନି
ମୋ ମମତାଜହୀନ ତାଜମହଲକୁ?
ବତୁରେଇ ଦିଅନ୍ତେନି
ମୋ ରାଧାହୀନ ମଥୁରା ମାଟିକୁ?
ଆଉ ଜରାଜୀର୍ଣ୍ଣ କରିଦିଅନ୍ତେନି
ମୋ ସଫଳତାର ମାର୍ବଲ ପାହାଚକୁ?
ଗ୍ରହଣ କରିବାପାଇଁ ଇଛା ନାହିଁ ସେହି ସଫଳତା
ଯେଉଁଥିରେ ଯୋଡିହୋଇନାହିଁ ତୁମ ସ୍ମୃତିର ସ୍ଵାକ୍ଷର,
ସେଥିପାଇଁ ତ',
ତୁମ ସ୍ମୃତିର ମୁକ୍ତା ଗୁଡିକୁ ସାଉଁଟିବା ପାଇଁ
ମୁଁ ଏବେ ନିରନ୍ତର ଧାବମାନ ଅଶ୍ୱ
ପ୍ରେମର ସେ ମରୀଚିକା ପଛେ।
ଆଜିକାଇଁ ଡର ଲାଗେ
ସେ ସ୍ମୃତି ସବୁ ଅପସରି ଯିବେକି
ମୋ ଅତୀତର ଆଲଣା କୁ?
ସେଥିପାଇଁ ତ' ଅପେକ୍ଷା କରିଛି
ପରୀକ୍ଷା ଗୃହର ପ୍ରଶ୍ନାବଳୀ ପରି
ସାଇତି ରଖିବା ପାଇଁ ତାକୁ ହୃଦ ସିନ୍ଦୁକରେ,
ମୋ ଶେଷ ନିଶ୍ୱାସ ପର୍ଯ୍ୟନ୍ତ..........।