ଛନ୍ଦହୀନ ଜୀବନ
ଛନ୍ଦହୀନ ଜୀବନ
ମୁଣ୍ଡ ଉପରେ ଉତ୍ତୁଙ୍ଗ ହିମାଳୟର ଦୁଃଖ
ଲୁହ ପୋଛିବାକୁ ଛିଣ୍ଡା ପଣତ ବି-
ଏଠି ପଡ଼ିଯାଏ ନିଅଣ୍ଟ,
ଛନ୍ଦହୀନ ଜୀବନର ଦୋଛକି ରାସ୍ତାରେ
ନିରନ୍ତର ହୁଏ ଖାଲି ଦୁଃଖଙ୍କର ଭେଟ।
ଏଠି ରାତି ଶୋଉ ଶୋଉ ଅନ୍ଧାର କୋଳରେ
ପୃଷ୍ଠଭଙ୍ଗା ଦିଅନ୍ତି ସ୍ୱପ୍ନ ମାନେ,
ଲକ୍ଷ୍ୟର ସୀମାରେଖା ପାରି ହେଉ ହେଉ
ହତୋତ୍ସାହ ହୁଅନ୍ତି ଆଶା ଆଉ ବିଶ୍ୱାସ ମାନେ।
ଜାଣିଛ!
ଏ ଛନ୍ଦହୀନ ଜୀବନ ଦରବାରେ
ଦୁଃଖର ଦରଖାସ୍ତ ବାରବାର ହୁଏ ବରଖାସ୍ତ,
ତାକୁ କିଏ ବା ପଢିବ?
ଦେଖୁନ! ସ୍ୱୟଂ ରାଜା ତ' ନିଜେ
ଅନ୍ଧ ନଗରୀ ମୋହରେ ଅସୁସ୍ତ,
ଏ ଛନ୍ଦହୀନ ଜୀବନରେ ଛନ୍ଦି ହୋଇଛି
ତାଙ୍କ ନିଶ୍ୱାସ-ପ୍ରଶ୍ୱାସ-ଚତୁଃପାର୍ଶ୍ଵ।
ହସ ପରେ ଲୁହ, ସୁଖ ପରେ ଦୁଃଖ
ଜୀବନ କୁ କରୁଥାନ୍ତି ଛନ୍ଦହୀନ,
ଦୁଃଖରେ ଥରେ ହସ
ଆଉ ଲୁହରେ ଚିତ୍କାର କରି ହସ,
ଛନ୍ଦହୀନ ଜୀବନରେ ପାଇଯିବ
ଛନ୍ଦମୟ ସୁରିଲା ସୁର,
ଆଉ ତୁମ ବାଟରେ ବୁଣି ହେଇଯିବ
ପରସ୍ତ ପରସ୍ତ ପ୍ରେରଣା ଫୁଆର।