ତୁ ଚୀର କାଳେ ଏମିତି
ତୁ ଚୀର କାଳେ ଏମିତି
ଖୁବ ଯତ୍ନରେ ଗଢିଥିବା ଘର କାନ୍ଥ ବି
ବେଳେ ବେଳେ ଖୁବ ଜୋରରେ ହଲି ଯାଏ
ଘର ଅଗଣା ବାରି ଅମାର
ପଡ଼ିଯାଏ ଫାଟ ଯୋଖି ହେଇରହିଥିବା ସମ୍ପର୍କ
ଆଉ ଜୀବନର ତମାମ ସମତଳ ଭୂଇଁ ଛାତିରେ
ଖୁବ ଚିତ୍କାର କରୁଥିବା ମନ
ନୀରବତାର ନିଶୁନ ଅଗଣାରେ
ଆଗପଛ ହେଉ ହେଉ ହେଉ
କେତେବେଳେ କେଜାଣି ନିଜ ଠୁ ନିଜେ
ଅଲଗା ହେଇ ଶୂନଶାନ ରାସ୍ତାର ଏକାକୀ
ପଥିକ ସମ ବାଟ ଚାଲୁଥାଏ ବିନା ଵାକ୍ୟ ବିନିମୟରେ
ତୁ କାଳେ ନାରାୟଣୀ ଜଗତ ଜନନୀ
ଅଷ୍ଟଭୁଜା ସଙ୍କଟ ତାରିଣୀ ।
ହେଲେ ,
ଏବେ ତ କୁଢ଼ କୁଢ଼ ମଣିଷ ମୁଣ୍ଡ ତୋ ବେକରେ
ଓଲଟା ଲଟକି ହସୁଥାନ୍ତି
ଏଠି ସେଠି ଘଟୁଥିବା ଘଟଣାର କାରଣ ଖୋହଉ ଖୋଜୁ
ଦେହ ବିହୀନ ମୁଣ୍ଡ ହିଁ ସବୁ ନାଟର ସୂତ୍ରଧର
ଅଣ୍ଟି ନିଆଁ ଛାତିରେ ଲାଗେ
ମନ ଅଗଣାରେ ଜଳୁଥାଏ ପୁଳା ପୁଳା ଅତ୍ୟାଚାରୀ
ରାବଣର କିୟଦଂଶ
ନିତିଦିନିଆ ଜୀବନ ଘଷି ମାଜି ପୁଣି ଠିଆ ହେଉଥାଏ
ଜୀବନ ଆଗକୁ ପାଦ ବଢାଏ
ଘଟଣା ସବୁ ସାଧାରଣ ହୁଏ
ମୁଁରୁ ତୁ ଯାଏ
ଆଜିରୁ କାଲି ଏବେରୁ ଏବେ
ତୁ ଚୀର କାଳେ ଏମିତି ।