STORYMIRROR

ମିତା ପଟନାୟକ

Abstract Inspirational

4  

ମିତା ପଟନାୟକ

Abstract Inspirational

ବାପା

ବାପା

1 min
266


ଓଦା ସିଲଟରେ

ସ୍ୱରବର୍ଣ୍ଣ ପରେ ପରେ

ସେଇଠି ବୋଧେ ପହିଲି ଝୁଣ୍ଟିଥିଲି

ଯେଉଁଠି,

ଆରାମ ଚେୟାର ହଲୁଥାଏ

ଚା କପ ବି ବସିଥାଏ

ଥୁଣ୍ଟା ମାରି

ପଣିକିଆ ସବୁ ଗୋଳେଇ ହୁଏ

ବନାନ ସବୁ ନାଲି ଗାର ତଳେ

ଖତେଇ ହେଉ ହେଉ

ତେନ୍ତୁଳି ଛାଟକୁ ଠିଆ କରୁଥିବା ମଣିଷ,

ମୋ ବାବା....।


ଦମ୍ଭିଲା ଛାତ

ଯେତେ ଖରା ସେତେ ଶୀତଳ

ଯେଡେ ବର୍ଷା ସେଡ଼େ ଛତା

ହୁଁ ବାଇଆ, ଶାଳିଆ ପୋତନୀ

ମା ର ମାଡ଼, ବାରି ଆଡ଼ ଗାଡ଼

ସବୁକୁ ଫୁ କରି ପିଙ୍ଗି ପାରନ୍ତି

ମୋ ବାବା...।


ଚାହାଳି ପାଠ ନସରୁଣୁ

ବଢେଇ ଦିଅନ୍ତି

ଅଜନ୍ତା ଦୀକ୍ସନାରୀ,

ଷଷ୍ଠ ଶ୍ରେଣୀ ବହି'ମାଇଁ କଣ୍ଟ୍ରି'

ମୁଖସ୍ଥ କରୁ କରୁ କାନରେ କହି ପାରନ୍ତି ଜବାହର ଙ୍କ

'ଲେଟର୍ସ ଫ୍ରମ ମାଇଁ ଡଟର'

କେବଳ ମୋ ବାବା...।


ଚା ରେ ଲୁଣ ହୁଏ ଚିନି

ପୋଡା ରୁଟି

ହେଇଯାଏ ପାମ୍ପଡ଼ ,

ଜନ୍ମଦିନ ରେ ନୂଆ ଜାମା ପାଇଁ

ବନ୍ଦ କରିପାରନ୍ତି

ଦିନର ଅର୍ଦ୍ଧେକ ସମୟ ବିତୁଥିବା ଦୈନିକ ସମାଜ

ତର୍କ ପ୍ରତିଯୋଗିତା ରେ

ମୁଁ ଜିତିଥିବା ସିଲଡ଼ ଯତ୍ନ ରେ

କାଚ ଆଲମିରା ରେ ସାଇତି ପାରନ୍ତି

କେବଳ ମୋ ବାବା....।


ଦିନ ଯାଏଁ, ଚି଼ହ୍ନ ରୁହେ

ମୋ ଛୁଆଙ୍କ ବାବାଙ୍କ ଭିତରେ

ମୁଁ ଖୋଜେ ମୋ ବାବାଙ୍କୁ ,

ତାଙ୍କ ଦାମୀ ସୁଟ ଭିତରେ

ମିଳେନି ମୋ ବାବାଙ୍କ

ଝାଳୁଆ କିନ୍ତୁ ସ୍ନେହ ର ବାସ୍ନା

ଏ ସି ଗାଡି ଅଛି, ହେଲେ

ହରକୁଲେସ ସାଇକେଲ ଆଗେ 

ଗାମୁଛା ବାନ୍ଧି ମେଳା ବୁଲିବା

କାହିଁଯେ....।


ମୋ ବାବା....

ଏକ ଯୁଗ,

ଏକ ଇତିହାସ ,

କେବେ ସରୁନଥିବା ଯୁଗର

ଅପ୍ରତିଦ୍ୱନ୍ଦୀ ସମ୍ରାଟ ,

ସତ୍ୟ ଆଉ ନିଷ୍ଠା

ବିଶ୍ୱାସ ଆଉ ନିଶ୍ୱାସ ର ଅସରନ୍ତି ଉଚ୍ଛାସ....।


ତାଙ୍କୁ କି ବର୍ଣ୍ଣି ହୁଏ

ସେ ଆକାଶ , ମୋ ପୃଥିବୀ

ସେ ଅସୀମ, ସେ ପ୍ରୀତମ

ସେ ଅନନ୍ତ , ସେ ଅବିଶ୍ରାନ୍ତ

ସେ ମୋର ଆଦ୍ୟ ଉଚ୍ଚାରଣ ର

ଅବର୍ଣ୍ଣନୀୟ ବର୍ଣ୍ଣବୋଧ

ସେ ମୋ ସତ୍ତା, ମୋ ଆତ୍ମା....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract