STORYMIRROR

Sarita Rani Mohanty

Drama

3  

Sarita Rani Mohanty

Drama

ଜୀବନ ରଙ୍ଗ

ଜୀବନ ରଙ୍ଗ

1 min
11.9K


ରଙ୍ଗ ଲାଗିଥିଲା ହୃଦୟରେ ଦିନେ

  ବୋଳି ହେଉଥିଲା ମନ

ଧୀରେ ଧୀରେ ସବୁ ରଙ୍ଗ ଧୋଇ ଗଲା

  ଆଜି ମୁଁ ରଙ୍ଗ ବିହୀନ     ll


ହୃଦୟ ଠିକଣା ଦେଇ ମୁଁ ନ'ଥିଲି

   ତଥାପି ଭରିଲା ରଙ୍ଗ

ଫଗୁ ରଙ୍ଗେ ପୁଣି କଲେ ରଙ୍ଗାୟିତ

   ଶୋଭାମୟ ହେଲା ଅଙ୍ଗ   ll


ଗଢିଥିବା ନୀଡ ଭାଙ୍ଗି ଗଲା ଦିନେ

   ଅଦିନିଆ ତୋଫାନରେ

ସପନ ହଜିଲା ରଙ୍ଗ ମଉଳିଲା

   ଆଜି ମୁଁ' ଦରିଆରେ    ll 


ମଣିଷ ଜୀବନ ସଂଘର୍ଷରେ ପୂର୍ଣ୍ଣ

  ଚାଲିଥାଏ ହରା ଜିତା

ସପନ ପୂରଣେ ଆସଇ ପୂର୍ଣ୍ଣତା

   ହୋଇଥାଏ ସାର୍ଥକତା    ll


ମର୍ତ୍ତ୍ୟ ରଙ୍ଗମଞ୍ଚେ ବାହୁଡ଼ା ସେ ପଥ

   ଭାଗ୍ୟ କରେ ବିଡମ୍ବନା

ଜୀବନର ରଙ୍ଗ ପଡି ଗଲା ଫିକା

   ହୃଦୟ ପାଏ ଯାତନା     ll


ନୂତନ ଆଲୋକ ଦେଖାଇ ସୌଭାଗ୍ୟ

   ପୁଣି ରଙ୍ଗ ଭରିଦେବ

ଭାଗ୍ୟ ଆକାଶରେ ସତେ ଇନ୍ଦ୍ରଧନୁ

   ସତେକି ଉଦିତ ହେବ    ll


ଆଶ୍ୱାସନା ସିଏ ଅଦୃଶ୍ୟ ନାୟକ

    ସାତ ରଙ୍ଗ ହସ୍ତେ ଧରି

ଶିନ୍ଥୀ ସିନ୍ଦୂର ମୋ ନାଲି ଶଙ୍ଖା ଶାଢ଼ୀ

    ନେଇଛି ହରଣ କରି      ll


ଭାଗ୍ୟ ଆକଳନ ମଣିଷ ଜୀବନ

   ଆଶା ରହେ ଅସମ୍ପୂର୍ଣ୍ଣ

ଯଶ କୀର୍ତ୍ତି ଜ୍ଞାନ ମାନ ସନମାନ

   ରଙ୍ଗ ପାଇଁ ମୂଲ୍ୟହୀନ    ll


ପ୍ରତି କ୍ଷଣେ କ୍ଷଣେ ପରିବର୍ତ୍ତନରେ

   ହୁଏ ନାହିଁ ରଙ୍ଗାୟିତ

ସମାଜର ନୀତି ଚାଲି ଚଳଣିରେ

   ସବୁ ହୁଏ କରାୟତ୍ତ      ll


ମେଘ ମହ୍ଲାରକୁ ଝୁରି ହୁଏ ବସି

    ଇନ୍ଦ୍ରଧନୁ ଲୁଚି ଅଛି

ବସନ୍ତରେ ଆଜି ପ୍ରଳାପ କରେ ମୁଁ

   ମଳୟକୁ ଖୋଜୁ ଅଛି     ll


ବାସଭରା ଆଜି ସତେ ରଙ୍ଗହୀନ

    ଶ୍ୱେତ ବର୍ଣ୍ଣ ମଲ୍ଲୀ ଟିଏ

ଚତୁର୍ଦ୍ଦିଗ ବାସ୍ନା    ବିଚ୍ଛୁରିତ ହୁଏ

     ରଙ୍ଗଠୁ ଦୂରେଇ ଯାଏ   ll


କେବେ ବଗିଚାରେ କେବେ ମୁଁ ବଣରେ

   ଭିନ୍ନ ଭିନ୍ନ ସ୍ଥାନ ନେଇ

ବଣମଲ୍ଲୀଟିଏ ସତେ ମୁଁ ସାଜିଛି

   ଝଡି ଯିବି ଶୁଖି ଯାଇ   ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama