ଶେଷ ନିଷ୍ପତ୍ତି
ଶେଷ ନିଷ୍ପତ୍ତି
ଦୁହିତା ଅଟଇ ଦୁଇ କୁଳ ହିତା
ସଭିଙ୍କର ହୁଏ ପ୍ରିୟ। ,
ଜନମ କାଳରୁ ମରଣ ଯାଏ ତା
ଜଟିଳ ଥାଏ ସମୟ ।
ସ୍ୱାଧୀନତା ତାର ସପନ ପରିକା
କର୍ଣ୍ଣେ ଖାଲି ଶୁଣୁଥାଏ ,
ବାଳୁତ କାଳରୁ ବୃଦ୍ଧାବସ୍ଥା ଯାଏ
ପରାଧୀନ କାହିଁ ହୁଏ ।
ନାରୀ ଯଦି ହୁଏ ନାରାୟଣୀ କେବେ
ତା ପଛେ ହୁଏ କାହାଣୀ ,
ନାରୀ ର ସୃଷ୍ଟିରେ ଦୁନିଆ ପ୍ରଗତି
ଏ କଥା ମନ ମାନେନି ।
ପ୍ରଶ୍ନ ଆସେ ସଦା ଆହେ ମହା ବାହୁ
ଜନମ ତା ତ୍ୟାଗ ପାଇଁ ,
ତ୍ୟାଗ ବଳିଦାନ ସ୍ନେହ ପ୍ରତିଦାନ
ସଭିଙ୍କ ଉନ୍ନତି ପାଇଁ ।
ନାରୀ ର ଯାତନା ଜୀବନ ତମାମ
ସତ୍ୟ ଏହା ଧ୍ରୁବ ପରି ,
ସୀତା ମାତା ପରି ପତିବ୍ରତା ନାରୀ
ଜୀବନକୁ ଥିଲେ ହାରି ।
ଦୋଷ ନ କରିବି କର୍ମ ଦୋଷେ କଣ
ଅହଲ୍ୟା ର ସେ କାହାଣୀ ,
ପଥର ପାଲଟି ଅଭିଶାପ ନେଲେ
ଉଦ୍ଧାରିଲେ ପ୍ରଭୁ ପୁଣି ।
ପାଞ୍ଚ ସ୍ଵାମୀ ଥାଇ ସୁରକ୍ଷିତ କେବେ
ଦ୍ରୌପଦୀ ହୋଇ ନ ଥିଲେ ,
ପୂର୍ଣ୍ଣ ସମର୍ପଣେ ଲଜ୍ୟା ନିବାରି ସେ
ନାରୀ ଙ୍କୁ ଶିକ୍ଷା ସେ ଦେଲେ ।
ନିଜର ସୁରକ୍ଷା ନିଜେ ନାରୀ କରେ
ନ ହେଲେ ହୁଏ କାହାଣୀ ,
କେତେ ବେଳେ ମରେ କେତେ ବେଳେ ହାରେ
ଲେଖେ ସେ ନିଜ ଜୀବନୀ ।
କେତେବେଳେ କିଏ ଦିଏ ପ୍ରତାରଣା
କେତେବେଳେ ଭାଙ୍ଗେ ସପନ ,
ସପନ ଦେଖିଲେ ହୋଇଲେ ପୂରଣ
ସେ ନାରୀ କି ପୁଣ୍ୟବାନ୍ ।
ସେଇ ନାରୀ ପୁଣି ହୁଏ ହତାଦର
ଶୁଭ କାର୍ଯ୍ୟେ ସେ ଅଲୋଡା ,
ଜୀବନର ପଥ ସଦା କଣ୍ଟକିତ
ସେ ପଥ ହୁଏ ଖସଡ଼ା ।
ଟିକିଏ ସୁଖକୁ ସ୍ଵର୍ଗ ସୁଖ ଭାବି
ସରଳ ଭାବେ ଜୀବନ ,
ଜୀବନ ତାହାର ଜଟିଳ ଗଣିତ
ଖୋଜି ପାଏନା ତା କାରଣ।
ଶେଷ ନିଷ୍ପତ୍ତି ତା ତା ଶେଷ ନିଃଶ୍ୱାସ
ସବୁରୁ ପାଇବ ମୁକ୍ତି ,
ହସ୍ତ ଯୋଡ଼ି କହେ ଆହେ ମହାବାହୁ
ଦିଅ ମୋତେ ତୁମେ ଶକ୍ତି ।