STORYMIRROR

Sarita Rani Mohanty

Others

3  

Sarita Rani Mohanty

Others

ହାଟ

ହାଟ

1 min
224


କେତେ ସାହୁକାର କେତେ ଜମିଦାର

    ହାଟକୁ ଥାଏ ଅପେକ୍ଷା

କୂଟ କରି ଟଙ୍କା ହାତ କରିବାକୁ

    ଥାଏ ତାଙ୍କର ପ୍ରତୀକ୍ଷା।


ବଞ୍ଚିବା ପାଇଁକି ଲୋଡା ମଣିଷର

  ଖାଦ୍ୟ ବସ୍ତ୍ର ବାସ ଗୃହ

ଦିନ ପ୍ରତିଦିନ   ଗୁଜୁରାଣ ପାଇଁ

  ଘେରି ଥାଏ ମାୟା ମୋହ।


କେତେ ଚାକଚକ୍ୟ ବାବୁ ବାବୁଆଣୀ

  ସେ ହାଟରେ ଉଭା ଯାଇ

ମଳି ମୁଣ୍ଡିଆଙ୍କୁ   ଦେଖେଇ ହୁଅନ୍ତି

  ଲୋଭନୀୟ ଖାଦ୍ୟ ପାଇଁ।


ସଭିଙ୍କ ଜୀବନ ଏକା ପରି ନୁହେଁ

   ଧନୀ ଗରିବ ବି ଥାଏ

ସାଧାରଣ ଭାବେ ହାଟରୁ ସଉଦା

   ଗରିବ ଟି ନେଇ ନିଏ।


କିଏ ନିନ୍ଦୁଥାଏ ନିଜ ଭାଗ୍ୟ ବସି

  କିଏ କହୁଥାଏ ଲୀଳା

ଚୋର ଟାଉଟର ହାଟରେ ଦେଖି ବ

   ବୁଲୁଥାନ୍ତି ଭେଳା ଭେଳା।


କର୍ମ ଦୋଷେ ଯେବେ ପ୍ରଭୁ ରାମଚନ୍ଦ୍ର

  ଯାଇ ଥିଲେ ବନବାସ

କର୍ମ ବଳେ ପୁଣି ନଳ ରାଜା ଦିନେ

  କାଟି ଥିଲେ ଘୋଡା ଘାସ।


ଦାନୀ ବୋଲି ରାଜା ଶ୍ମଶାନ ଜଗିଲେ

  ପୁତ୍ର ଭାରିଯାକୁ ତେଜି

କର୍ମ ବଳେ ନର ହୁଏ ଆତ ଜାତ

   ମଣିଷ ପାରେନା ହେଜି।


ଅଳିକ ଜୀବନ ତୁଚ୍ଛ ମଣିଦିଅ

  ରାଜା ଫକୀର ସମାନ

ସଭିଙ୍କ ଜୀବନ ମାଟି ସହ ଲୀନ

  ଆଉ ସବୁ ମୂଲ୍ୟ ହୀନ।


ସୁନା ପାଟ ପିନ୍ଧି ଆଜି ଯିଏ ରାଜା

  ଯିବ ସେ ଶୂନ୍ୟ ହସ୍ତରେ

ଚିରା ଲେଙ୍କଡା ବି ପରିଧାନ ଯା'ର

  ଶୋଇବ ଖାଲି ଦେହରେ।


ଜୀବନ ହାଟର ସଉଦା ପାଇଁକି

   ଟିକେ ଯଦି ଧ୍ୟାନ ଦେବା

ଦୁନିଆ ଆଖିରେ ମରି ବି ଅମର

  ଚିର ଦିନ ହୋଇଥିବା।


ଦାନ ଦୟା ଧର୍ମ ସତ୍ୟ ଅହିଂସାକୁ

    ହାଟର ସଉଦା ଭାବି

ଉତ୍ତମ ସଉଦା ଭକତି ମାର୍ଗରେ

    କିଣିବା ସମ୍ପତ୍ତି ଭାବି।


ଜୀବନର ସଜ୍ଞା ଯେ' ଦିନ ବୁଝିବା

    ଆଉ ଲାଗିବନି କଷ୍ଟ

ମିଛ ଅହମିକା ଜାଲେ ଛନ୍ଦି ଗଲେ

  ପ୍ରଭୁ ବି ହୋଇବେ ରୋଷ୍ଠ।


କାହା ଜୀବନର ସୁଖ ଶିରୀ ଦେଖି

  ତଉଲେଇବନି କେବେ

ଯେତିକି ହାଟରୁ ମିଳିବ ସଉଦା

  ସନ୍ତୁଷ୍ଟ ହୋଇବା ତେବେ।


ଅଶାନ୍ତି ଅସୂୟା ଦୂର କରିଦେଇ

  ଶାନ୍ତି ର ସଉଦା କିଣ

ସମସ୍ତ ସଉଦା ପରିପୂର୍ଣ୍ଣ ଥିବ

   ଏହି କଥାଟିକୁ ଜାଣ।


ଧନ ମାନ ଯଶ ପଛରେ ଗୋଡ଼େଇ

   ଜୀବନରେ ଥକି ଯିବୁ

ଆଖି ବୁଜି ଦେଲେ ହୋଇବ ଅନ୍ଧାର

    ଭୂତ ନାମ ତୁ ପାଇବୁ।


ଏମିତି ସଉଦା କିଣିବା ଜୀବନେ

   ଦୃଷ୍ଟାନ୍ତ ଦେବ ଆମର

ସତ୍ୟର ପୂଜାରୀ ଅହଂ ଭାବ ମାରି

   ହୋଇବା ଚିର ଅମର।


ମାଟି ଦେହ ଆମ ମିଶିବ ମାଟିରେ

   ଆମ ହାଟ ବସି ଥିବ

ଦେଶ ବିଦେଶରେ ଯଶ କୀର୍ତ୍ତି ସଦା

   ଲୋକ ମୁଖେ ଭାଷୁଥିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍