ଟୋପାଏ ସିନ୍ଦୂର ଦି‘ପଟ ଶଙ୍ଖା
ଟୋପାଏ ସିନ୍ଦୂର ଦି‘ପଟ ଶଙ୍ଖା
ଚାଲିବାର ରାସ୍ତା ସହଜ ନୁହଁଇ
କେବେ କଣ୍ଟା କେବେ ଫୁଲ
ସହିବାକୁ ହୁଏ ଯନ୍ତ୍ରଣାର ଜ୍ୱାଳା
କପଟୀର ମାୟାଜାଲ I
କଣ୍ଟାକୁ ଛାଡି କି ଫୁଲ ରହିପାରେ
ଫୁଲ ସହ ଥାଏ କଣ୍ଟା
ଗୋଟିଏ ଗଛର ବିନା ସାହାରାରେ
ଲଟେଇ ପାରେ କି ଲତା ?
ଭ୍ରମରଟିଏ ମୁଁ ଅଜଣା ଫୁଲର
ମହକେ ବିଭୋର ହୁଏ
ମନକଥା କାର ବୁଝେନି ଏ ଫୁଲୁ
ସେ ଫୁଲକୁ ଉଡୁ ଥାଏ I
ଏମିତି ଦିନେ ମୁଁ ଫୁଲର ଆଖିରେ
ଲୁହ ଦୁଇଟୋପା ଦେଖି
ସରାଗରେ ତାକୁ ପଚାରିଲି କୁହ
କାହିଁକି କାନ୍ଦୁଛ ସଖୀ I
କହିଲା ସମାଜେ ରହୁଛେ ସକଳେ
ସାଙ୍ଗ ପରିଜନ ବନ୍ଧୁ
ଲୋଡା ମୋର ଏଇ ସମାଜ ସ୍ୱୀକୃତି
ମଥାରେ ସିନ୍ଦୁର ବିନ୍ଦୁ I
ଦୁଇପଟ ଶଙ୍ଖା ଟୋପାଏ ସିନ୍ଦୁର
ପାରିବ କି ମୋତେ ଦେଇ
ସାରା ଜୀବନ ମୁଁ ସୁଖେ ଦୁଃଖେ ତୁମ
ରହିଥିବି ସାଥି ହୋଇ I
ଆଭୁଷଣ ନୁହେଁ ଶଙ୍ଖା ଓ ସିନ୍ଦୂର
ନାରୀର ସେ ପରିଚୟ
ସ୍ୱାମୀ ସୁହାଗିନୀ ସଧବା ନାରୀର
ନଥାଏ କାହାକୁ ଭୟ I
ତା ମଥାରେ ଦେଲି ଟୋପାଏ ସିନ୍ଦୂର
ଭିଜିଲା ତା ଆଖିପତା
ଲାଜେଇ ଲାଜେଇ କଣେଇଁ ଚାହିଁଲା
ନୁଆଁଇଲା ତାର ମଥା I
