ଟଗର
ଟଗର
ଖୁବ୍ ଫୁଟେ ମୁଁ
ବର୍ଷକ ବାରମାସ ଫୁଟେ
କେବେ ଚଢ଼େ ଦେବତା ମଥାରେ
ପୁଣି କେବେ ଧୂଳିରେ ମୁଁ ଲୋଟେ
ଖୁବ୍ ଫୁଟେ ମୁଁ
ବର୍ଷକ ବାର ମାସ ଫୁଟେ ।
ନିମ୍ବ ଗଛ ଗଣ୍ଡିରୁ
ଦିନେ ଅଧେ ଝରିଗଲେ କ୍ଷୀର,
ଠାକୁରଙ୍କ ଆବିର୍ଭାବ ଭାବି
ବଢିଯାଏ କେତେ ତା ଆଦର
ମୋ ଅଙ୍ଗରୁ ନିତି ଝରେ
କେହି ମୋତେ ପୂଜିଛ କି କୁହ
ଆରେ ପୂଜିବା ତ ଦୂରେ ଥାଉ
କେହି କେବେ ଖୋଜିଛ କି କୁହ ।
ବରଣମାଳାରେ ଅବା
ନେତାଙ୍କ ଗଳାରେ
ଯୁଇ ଜାଇ ଗୋଲାପର ସ୍ଥାନ
ନ ମିଳିଲେ ଆନ ଫୁଲ
ମୋତେ ନେଇ ଗୁନ୍ଥି ଦିଅ
ନାହିଁ କି ମୋ ଆତ୍ମ ସ୍ୱାଭିମାନ ।
ପ୍ରେମିକ ହାତରେ କିବା
ପ୍ରେମିକା ଗଭାରେ
କେହି ମୋତେ ଦେଖିଛ କି କୁହ
ଆଦରରେ ଓଷ୍ଠ ଧାରେ
କେହି କେବେ ଚୁମିଛ କି କୁହ
ଆରେ ଚୁମିବା ତ ଦୂରେ ଥାଉ
ଶରଧା ରେ ଶୁଙ୍ଘିଛ କି କୁହ ।
ଅଲୋଡ଼ା ଟଗର ଫୁଲ
ବର୍ଷକ ମୁଁ ବାରମାସ ଫୁଟେ
ଖୁବ୍ ଫୁଟେ ବୋଲି ତ
ଆରେ ଖୁବ୍ ଫୁଟେ ବୋଲି ତ
ବେଳେ ବେଳେ ମଥାକୁ ମୁଁ ଉଠେ
ବେଳେ ବେଳେ ପାଦରେ ମୁଁ ଲୋଟେ ।