ତୃତୀୟ ନେତ୍ରର ଉତ୍ପତ୍ତି
ତୃତୀୟ ନେତ୍ରର ଉତ୍ପତ୍ତି
କବିତା - ତୃତୀୟ ନେତ୍ରର ଉତ୍ପତ୍ତି
ରଚନା - ପଞ୍ଚାନନ ଜେନା
ତାରିଖ - ୧୧-୧୨-୨୦୨୫
++++++++++++++++++++
ଯେତେ ସବୁ ଶାନ୍ତ କାନ୍ତ କମନୀୟ ନମନୀୟ ଆଖି
ସେତେ ସବୁ ପ୍ରଶ୍ନବାଚୀରେ ଆକ୍ତାମାକ୍ତା
ସେତେ ସବୁ ଉକ୍ତି ସୁକ୍ତି ବିଭକ୍ତିରେ ତିକ୍ତା
ମୂଖ୍ୟ ଫାଟକ ପରି ସ୍ଥିର ସ୍ଥବିର ଦିଶୁ ଥିଲେ ବି
ଢ଼ଳଢ଼ଳ ରହିଥାଏ ମାଖି
କଳକଳ ବୁଡିଥାଏ ଲାଖି
ଡୋଳା ଘୂର୍ଣ୍ଣନ କରେ ବାଜ ନଜର ପରି ତନଖି
ଯେତେ ସବୁ ଧିର ସ୍ଥିର ହ୍ରଦପରି ଲୋଚନ ଦୁଇ
ସେତେ ସବୁ ମନ୍ତ୍ରଣା ଯନ୍ତ୍ରଣା ଆମନ୍ତ୍ରଣ
ସେତେ ସବୁ କପଟ ପାଶାର ନିମନ୍ତ୍ରଣ
ନୀଳ ଲାବଣ୍ୟରେ ଭରା କୁହୁକ ଜୁଇ ପରି ଦିଶୁଥିଲେ ବି
ଦେଖିବା କମ୍ ଆଖି ମିଟିକା ବେଶି
ନିରବ ନୀଥର ଭାବରେ ଭାଷଣ ବେଶି
ବୁଝିଲେ ହେଜିଲେ ପଥୁରିଆ ଛାତିଟା ଯିବ ଫୁଟେଇ
ଯେତେ ସବୁ ସାଧା ସିଧା ପୋଟଳ ଚିରା ନୟନ
ସେତେ ସବୁ କଳ୍ପନା ଚକ୍ଷୁରେ ସମୀଧ ସମାନ
ସେତେ ସବୁ ବକ୍ରୋକ୍ତି ଆକୃତିରେ ଲକ୍ଷେ ଆନନ
ଆନନ୍ଦମୟୀ ମୁଖଭଙ୍ଗି ଚପଳ ଛନ୍ଦର ମଙ୍ଗଳାଚରଣ ଦିଶୁ ଥିଲେ ବି
ତେଲ ଘିଅ ମସଲା ଖୋଜୁଥାଏ
ଜିରା ଫୁଟଣ ଲଙ୍ଗାଗୁଣ୍ଡ ଭାଜୁଥାଏ
ବଘାରିବାକୁ ଛୁଙ୍କଦେଇ ଧୂଆଁମୟ ମନ କାନନ
ଯେତେ ସବୁ ମୁଗ୍ଧ ଦଗ୍ଧ ଫେନିଳ ନେତ୍ର ଯୋଗଳ
ସେତେ ସବୁ ଜଟିଳ ସମସ୍ୟାର ମୂଖ୍ୟକେନ୍ଦ୍ର ସହଳ
ସେତେ ସବୁ କୁଟିଳ ମନ୍ତ୍ରଣାର ପେଣ୍ଠସ୍ଥଳ ବହଳ
ମଉକା ମିଳିଲେ ଚଉକା ମାରିପାରେ
ଦୁର୍ବଳ ମୁହୁର୍ତ୍ତ ମିଳିଗଲେ ଦାଗିପାରେ
ଆଖି କମାଣରୁ ଅସଂଖ୍ୟ ଅଗଣିତ ଗୁଳି ପ୍ରବଳ
କିଏ କହେ ଆଖି ବନ୍ଦଥିଲେ ଦିଶେ ବେଶି
କିଏ କହେ ଆଖି ଖୋଲାଥିଲା ଦିଶେ ବେଶି
ମୋତେ ଲାଗେ
ଭାବନା ବିନ୍ୟାସରେ ପହଁରୁଥିବା ଛଳଛଳ ଆଖି
ଚେତନା ଚନ୍ଦନରେ ଚର୍ଚ୍ଚିତ ଚର୍ବଣ ପଳପଳ ଆଖି
ଦେଖିପାରେ ବି କହିପାରେ ବି
ସୂଚେଇ ପାରେ ବି ଇଶାରା କରିପାରେ ବି
ବିଦ୍ରୋହ କରିପାରେ ବି ଆଡ଼ଋଷା ବକିପାରେ ବି
ଭଲ ପାଇପାରେ ବି ପ୍ରେମ ପ୍ରତୀକ୍ଷା ମାଗିପାରେ ବି
ଆଉ ସର୍ବୋପରି ଗବେଷଣା ଲବ୍ଧ କଥାଟି
ତୃତୀୟ ନେତ୍ରର ହେଲେ ଉତ୍ପତ୍ତି
ଜ୍ଞାନୋଦୟରେ ଆହୁଲା ମାରେ ଖଳ ପ୍ରବୃତ୍ତି ।
