ତୋତେ ହୁଏ କାଳେ ଜର
ତୋତେ ହୁଏ କାଳେ ଜର
ତୋ ରଙ୍ଗା ଅଧରେ ହସ ଦେଖିଦେଲେ
ଆପେ ମୁଁ ପକାଏ ହସି,
ଲାଗେ ଯେମିତିକା କହିବୁ ତୁ କିଛି
ଶୁଣିବି ପାଖରେ ବସି ।
ସମସ୍ତେ ଜଣାନ୍ତି ତାଙ୍କ ଦୁଃଖ ଖାଲି
ତୋ କଥା ଭାବନ୍ତି ନାହିଁ,
ସେମାନଙ୍କ ଶୋକ ହରଣ କରିକି
ସୁଖ ଯାଚିଦେଉ ସାଇଁ ।
ମୁଁ ଜାଣିଛି ସେଇ ଦୁଃଖ ହରି ହରି
ତୋତେ ହୁଏ କାଳେ ଜର,
ଅଣସର ଘରେ ରଖି କରାଯାଏ
କେତେ କ'ଣ ଉପଚାର ।
ସେଥିପାଇଁ ତୋତେ ମୋ ଦୁଃଖ ନେବାକୁ
କହିପାରେନାହିଁ ଖୋଲି,
ଜାଣିଛି ତୁ ରହି ମୋଅରି ଭିତରେ
ସବୁ ଭୋଗୁଅଛୁ ବୋଲି ।
ଏତିକି କରୁଣା କରିଥା ତୁ ନାଥ
ତୋ ସାଥିରେ ଥାଉ ଭାବ,
ସଂସାର ସାଗରେ ବାହିନେ କୁଶଳେ
ମୋର ଏ ଜୀବନ ନାଵ ।