STORYMIRROR

SARATA KUMAR DAS

Fantasy

4  

SARATA KUMAR DAS

Fantasy

ତମେ ଆସିବ ବୋଲି - ୨୦

ତମେ ଆସିବ ବୋଲି - ୨୦

1 min
232

ତମେ ଆସିବ ବୋଲି 

ଶବ୍ଦାୟିତ ହେଲାଣି ନିଃଶବ୍ଦ ଇଲାକା,

କବିତାର ଛନ୍ଦେ ଛନ୍ଦେ

ଶବ୍ଦମାନଙ୍କର ମଧୁର ମୂର୍ଛନା,

ଶୂନ୍ୟ ନୀଡରେ ରହି ରହି ଶୁଭିଲାଣି

ମୃଦୁ କୋଳାହଳ 

ବିଶ୍ବାସର ଯେତେ ଦୃଢ ଆସ୍ତରଣ

ପ୍ରକାଶିତ ହେଲାଣି ମୋ ନିଶ୍ବାସର

ପ୍ରତି ଛତ୍ରେ ଛତ୍ରେ ।

ଆଜି କାହିଁ ରୋମାଞ୍ଚିତ କରେ ମୋତେ 

ମୋ ଅଧାଲେଖା ଡାଏରୀର ପୃଷ୍ଠାରେ

ଲିପିବଦ୍ଧ ଯାହା ଯେତେ 

ସ୍ମୃତି ଓ ବିସ୍ମୂତିର ମହାର୍ଘ ମହକ,

କେତେ ଘଟଣା ଓ ଦୁର୍ଘଟଣା 

ତମ ଓ ମୋ ସମ୍ପର୍କର ସୁଦୀର୍ଘ ଉପପାଦ୍ୟ,

କେତେ ଚିକିମିକି ସକାଳର ଖରା

ଆଉ ରାତିର ବହଳ ଅନ୍ଧାର ।

କେତେ ସବୁଜ ସମ୍ମୋହନ 

କେତେ ରାଗ ଅନୁରାଗ

ପୁଣି କେତେ ବିଶ୍ବାସ ଓ ଅବିଶ୍ବାସର

ଚିତ୍ରିତ ଶବ୍ଦମାଳା 

ଜୀବନ୍ୟାସ ପାଇଲେଣି

ଫର ଫର ଉଡିବାକୁ

ଶୂନ୍ୟତାରୁ ମହାଶୂନ୍ୟତାକୂ

ମୋ ସାଇତା ଡାଏରୀର ନିବୁଜ ପୃଷ୍ଠାରୁ ।

ବେଳେବେଳେ ଏମିତି ବି ହୁଏ  

ମୋ ନିରୋଳା ମୁହୂର୍ତ୍ତମାନ

ଏକାନ୍ତରେ ଆଖିରୁ ଝରାନ୍ତି

ଅସରା ଅସରା ଲୁହ

ଆଉ ସେ ଲୁହରେ ଭିଜିଯାଏ

ମୋ ସାଇତା ଡାଏରୀର ପୃଷ୍ଠା

କେତେ ଅନ୍ତର୍ଦାହରେ ଘୂରିବୁଲନ୍ତି

ଲିପିବଦ୍ଧ ନିର୍ଜୀବ ଶବ୍ଦମାଳା ।

ଏକା ଏକା ଚାହିଁଥାଏ ଆକାଶକୁ 

ଅପ୍ରାପ୍ତିର ନିର୍ଜନ ଦ୍ବୀପରେ

ଗ୍ଳାନି ଓ ଅବଶାଦର ଭଙ୍ଗୁର ମନରେ ।

ଠିକ୍ ଯେମିତି ଶୂନ୍ୟକୁ ଚାହିଁ ରହିଥାଏ

ପାଳଭୂତ ନିଛାଟିଆ ଉଜୁଡା କ୍ଷେତରେ ।

କେବେ କେବେ ମୋ ଆଖିରେ ଲାଖିଯାଏ

ଝଲମଲ ଦିଶୁଥିବା ତମ ନାଁ

ଜହ୍ନର ଛାତିରେ

ଆଉ କେତେବେଳେ ଝଲସି ଉଠେ

ତମ ରୂପର ପସରା

ପବନର ପାପୁଲିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy