STORYMIRROR

Panchanan Jena

Fantasy

3  

Panchanan Jena

Fantasy

ବର୍ଷା ସେ ଦିନର .......

ବର୍ଷା ସେ ଦିନର .......

1 min
11.5K

ଖୁବ୍ ମନେ ପଡ଼େ ସେ ଦିନର ବର୍ଷା ବନ୍ଧୁ

ଆଜିର ଏ ବର୍ଷା କିନ୍ତୁ ପଡ଼େ ବିନ୍ଦୁ ବିନ୍ଦୁ

ପରନ୍ତୁ ବିନ୍ଧୁଛି ବହୁତ ମନ ମଗଜକୁ 

ଝରୁଛି ଟୁ--ପ୍-- ଟା--ପ୍ ଟୁପୁରୁ ଟାପୁରୁ

ମିଶିବାକୁ ତେର ନଈ ସାତ ସାଗର ସିନ୍ଧୁ ।

ଖୁବ୍ ମନେ ପଡ଼େ ସେ ଦିନର ବର୍ଷା ବନ୍ଧୁ ।୧।

ସେ ଦିନର ବର୍ଷାରେ ଭିଜୁଥିଲା ସଖିର ପଣତ

      ଫୁଟି ଦିଶୁଥିଲା ଅନ୍ତବସ୍ତ୍ର 

ଆଜିର ଏ ବର୍ଷା କିନ୍ତୁ ଭିଜେଇ ପାରୁନି 

      ମନ ଗହନର ଚହଲା ଅସ୍ତ୍ର ଶସ୍ତ୍ର 

ପରନ୍ତୁ ଚେଷ୍ଟିତ ଉର୍ବରିଆ ମନ ଆକାଶର ଅଗଣା

    ତାରାମେଳେ ହେବା କୁ ଇନ୍ଦୁ । 

ଖୁବ୍ ମନେ ପଡ଼େ ସେ ଦିନର ବର୍ଷା ବନ୍ଧୁ ।୨।

ସେ ଦିନର ବର୍ଷା ବୋହି ନେଇଥିଲା

     କାଗଜ ଡଙ୍ଗା ପ୍ରୀୟାର

ଆଜିର ଏ ବର୍ଷା କିନ୍ତୁ ସାଜିଛି ବଇରୀ

    ପୁଷ୍ପ ସୌଦାଗର ଘୁମନ୍ତ ଭ୍ରମର

ଶୁଣେଇ କହୁଛି ଭାଂଗି ଗଲା ସ୍ବପ୍ନ ମୋର

     ହୋଇ ବିନ୍ଦୁ ବିନ୍ଦୁ ।

ଖୁବ୍ ମନେ ପଡ଼େ ସେ ଦିନର ବର୍ଷା ବନ୍ଧୁ ।୩।

ସେ ଦିନର ବର୍ଷାରେ ଭିଜି ଫୁଟିଥିଲା 

   କୁଆଁରୀ ମନର କୋରକିତ ଶତ ଦଳ

   ତନୁ ବଲ୍ଲରୀରେ ଅଜଣା ଶିହରଣ ଉତ୍ପଳ

ଆଜିର ଏ ବର୍ଷା କିନ୍ତୁ କାଳବୈଶାଖର ଢାଲ

    ବାତ୍ୟା ଆମ୍ପନର ଛାଲ

ପରନ୍ତୁ ଭାଙ୍ଗି ଦେଲା ଜୀବିକା ଜୀବନ ନାଟିକା

   ତରୁ ତୃଣର ବିନାଶକାରୀ କେନ୍ଦୁ ।

ଖୁବ୍ ମନେ ପଡ଼େ ସେ ଦିନର ବର୍ଷା ବନ୍ଧୁ ।୪।

ସେ ଦିନର ବର୍ଷା ଘେନି ଆସୁଥିଲା ବେଙ୍ଗୁଲୀ ରାଣୀର

   ବାହାଘର ପଟୁଆର

ବିଜୁଳି ଘଡ଼ଘଡ଼ି ବାଦ୍ୟ ରୋଷଣୀର ସମାହାର

ଆଜିର ଏ ବର୍ଷା କମ୍ କିନ୍ତୁ ତୁହାକୁ ତୁହା

   ଅଣ ଚାଷ ପବନ ଲହର

ଉଡ଼େଇ ନେଲା ସମ୍ବଳ ସ୍ୱପ୍ନ ଘର ଦ୍ଵାର

ପରନ୍ତୁ ଛାଡ଼ି ଚାଲି ଗଲା ମହାବାତ୍ୟାର ହାହାକାର

କରୋନା କାଳ ରେ ବେଡ଼ି ଉପରେ କୋରଡ଼ା ପ୍ରହାର

ଉଦ୍ଧାର କର ହେ ସୁଧା ସିନ୍ଧୁ !

ସେ ଦିନର ବର୍ଷାକୁ ମୋର ଶତ କୋଟି ପ୍ରଣାମ ଜୁହାର

ଆଜିର ଏ ବର୍ଷା କିନ୍ତୁ ଅଭିଶପ୍ତ

ଘେନ ମୋର ଅଭିଶାପ ବାରବାର

ବାଣ ପରି ବିନ୍ଧୁ ।

ଖୁବ୍ ମନେ ପଡ଼େ ସେ ଦିନର ବର୍ଷା ବନ୍ଧୁ ।୫।


Rate this content
Log in

Similar oriya poem from Fantasy