STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ତାତି

ତାତି

4 mins
10

ଏଇ ନିଦାଘର ତାତି ଦୁର୍ବିସହ

ଜୀବନ ଯାତ୍ରା ବ୍ୟାହତ

ଅସ୍ତବ୍ୟସ୍ତ ସକଳ ଜୀବ ଜଗତ

ମନ ପ୍ରାଣ ଭାରାକ୍ରାନ୍ତ 

ପରିବେଶ କଳୁଷିତ ଧାରେ ଧାରେ 

ଜଳବାୟୁ ବି ସେପରି

ବର୍ଷା ଶୀତ କ୍ରମେ ପଛ ଘୁଞ୍ଚା ପ୍ରାୟ

ଖରା ମାତ୍ର ସର୍ବୋପରି

ଜୀବନ ସହିତ ସୂର୍ଯ୍ୟଙ୍କ କିରଣ

ପରୋକ୍ଷରେ ଶିକ୍ଷା ଦିଏ

ସକାଳର ରଶ୍ମି ପିଲାଦିନ ପରି 

ନରମ ସ୍ୱଭାବ ଥାଏ

ଶକ୍ତିଶାଳୀ ଦିପହର ର କିରଣ

ଯୁବ ସୁଲଭ ଉଦ୍ଦାମ

ଅସ୍ତାଚଳ ସୂର୍ଯ୍ୟ ତୀବ୍ରତା ରେ ହ୍ରାସ

ବୟସ ସହିତ କାମ

ସୁର୍ଯ୍ୟ ଅସ୍ତ ପରି ଜୀବନର ରଙ୍ଗ

ଆପେ ଯାଉଛି ବଦଳି

ବୃଦ୍ଧ ବୟସରେ ଦୁର୍ବଳ ଶରୀର

ମନେ ମନେ ହୁଏ ଭାଳି 

ଗ୍ରୀଷ୍ମ ଦିପହର ଯୁବାବସ୍ଥା ପରା

ଉତ୍ତାପ ହେବା ନିଶ୍ଚିତ

ଉପଯୋଗ ହେଉ ଦିପହର ବେଳ 

ସୁରକ୍ଷା ପ୍ରାଣ ସହିତ       

ବଡ ଦାରୁଣ ଏ ପ୍ରଚଣ୍ଡ ନିଦାଘ

ଝାଞ୍ଜି ରେ ନିଆଁ ପବନ 

ଶୁଖି ଯାଏ ନଦୀ ଓ ପୋଖରୀ ପାଣି

ଗଛ ଲତା ତରୁ ତୃଣ !!

ବରଗଛ ଛାଇ ଲାଗଇ ଶୀତଳ

ପଥଚାରୀ ମନ ଖୁସି

ସତେ କି ପଡ଼ଇ ବରଷା ର ଜଳ

ଗଛ ମୂଳେ ଥିଲେ ବସି

ଉଦୁଉଦିଆ ଖରାବେଳ ରେ ଆପେ 

ରାସ୍ତା ଘାଟ ଶୁନଶାନ୍

ଗାଏ କୋଇଲି କୁହୁ କୁହୁ ସ୍ଵରରେ

ମନ ହୁଅଇ ଉଚ୍ଛନ୍ନ    

କୋଇଲି କେଉଁ ଗଛ ଉହାଡରେ

ଲୁଚି ବସି ମିଠା ସ୍ଵରେ

କି ଗୀତ ଗାଉଛି ବୁଝି ହୁଏ ନାହିଁ

ମନ ଝୁମେ ସେ ଲୟ ରେ

   

ଖରାଦିନ ତାତି ଗାଆଁ ଚାରି ପାଖେ

ମନ ଭୁଲା ପରିବେଶ

ଘର ପିଣ୍ଡା ଅବା ଗଛ ଛାଇ ତଳେ

ମେଳି ବାନ୍ଧି ସମାବେଶ

ଖରା ତାତି ଆଦୌ ସମ୍ଭାଳି ହୁଏନି

ରହିଲେ ଘର ଭିତରେ

ଖୋଲା ମେଲା ଜାଗା ଦେଖି ଏକତ୍ରିତ

ଘର ପିଣ୍ଡା-ବାରଣ୍ଡାରେ

ବୟସ୍କ ମାନଙ୍କ ମେଳ ଜମି ଉଠେ

ଛାଇ ଶୀତଳ ଜାଗାରେ 

ଆମ୍ବ ତୋଟା ମଧ୍ୟେ ପିଲାଏ ଖେଳନ୍ତି

ପୁଣି ନଦୀ ପୋଖରୀରେ

ପଖାଳ ଭାତରେ ଆମ୍ବ କଷି ନସି 

ସ୍ଵାଦ ସହ ସୁବାସ ରେ

ପେଟରେ ପଖାଳ ଝାଳ ଭିଜା ଦେହ

ଆଶ୍ବସ୍ତ ଲାଗେ ମନରେ ।

ମଧ୍ୟାହ୍ନ ସମୟେ ପ୍ରବଳ ଗରମ

ଆଦୌ ନ ଥାଏ ପବନ

ନିଃଶ୍ୱାସ ପ୍ରଶ୍ୱାସେ ଗରମ ପବନ

କଷ୍ଟ ହୃଦ ର ସ୍ପନ୍ଦନ

ନିଷ୍ଠୁର ନିଦାଘ ଜ୍ୱାଳାରେ ଅତିଷ୍ଠ

ଆବାଳ ବୃଦ୍ଧ ବନିତା

ଜ୍ଵାଳା-ମୟ ତାପ ବାୟୁ ମଣ୍ଡଳରେ

ମୃତ ପ୍ରାୟ ତରୁ ଲତା

ଝାଞ୍ଜି ପବନ ର ଧାରା ଧୀରେ ଧୀରେ 

କ୍ରମେ ହୁଅଇ ପ୍ରଖର

ଅଙ୍ଗ ଅବୟବ ଉତ୍ତାପ ଦାଉ ରେ

ନିଷ୍କ୍ରିୟତା ସମ ସ୍ଥିର

ବର ଗଛ ଛାଇ ସବୁଠୁ ଶୀତଳ

ପଥ-ଶ୍ରାନ୍ତ ପଥିକ ର

ଆମ୍ବ ତୋଟା ଉହାଡରୁ ଭାସି ଆସେ 

କୋଇଲିର ମିଠା ସ୍ୱର ।

ଖରାଦିନ ରାତ୍ରୀ ସବୁଠୁ ପସନ୍ଦ

ଘରର ଖୋଲା ଅଗଣା

ଶୋଇବା ଖୁସିରେ ଉତ୍ତାପ ପବନ

ପାର୍ଥକ୍ୟ ହୁଏନି ଜଣା

କୁନି କୁନି ଛୁଆ କୋଳେ ଧରି ମାଆ 

ବିଞ୍ଛଣା ହଲାଏ ବସି 

ବିଞ୍ଛଣା ନ ଥିଲେ ପଣତ କାନିରେ

ବିଞ୍ଚି ଥାଏ ହସି ହସି

ହାତ ଗଣତିରେ କେତୋଟି ଘରକୁ

ଥାଏ ବିଦ୍ୟୁତ ଯୋଗାଣ

ପ୍ରାୟ ଗାଁ ସାରା ରାତ୍ରୀ ସମୟରେ

ଗାଆଁ ଦାଣ୍ଡରେ ଆସ୍ଥାନ

ବୁଢ଼ା ବୁଢ଼ୀ ପାଶେ ପିଲାଙ୍କର ମେଳି

ଶୁଣିବାକୁ ମିଛ ଗପ

ନିଦରେ ପିଲାଏ ଶୋଇଗଲେ ସୁଦ୍ଧା 

ଶୁଭୁ ଥାଏ କୁହା ଗପ ।

ହୁଏ କେତେ ପର୍ବ ପର୍ବାଣୀ ଆସର

ଲୋକ ନୃତ୍ୟ ଓ ସଙ୍ଗୀତ

ଖରା ଦିନେ ଗାଆଁ ଉତ୍ସବ ମୁଖର

ଖୋଲା ପଡ଼ିଆରେ ଯାତ 

ଭାଇଚାରା ଭାବ ବିନିମୟ ସହ

ଗାଆଁ ଘର ପରିବେଶ 

ଖରା ଦିନେ ପାଣି ଅଭାବର ଚିତ୍ର

ଗାଆଁ ରେ ହୁଅଇ ଦୃଶ୍ୟ

ପିଇବା ପାଣିର ଅଭାବ ସହଜେ

ହୋଇ ଥାଏ ଅନୁମେୟ

କୂଅ ପୋଖରୀରୁ ପାଣି ସଂଗୃହିତ

ନ ଥାଏ ଅନ୍ୟ ଉପାୟ ।

ପାଣିର ଅଭାବ ପ୍ରାୟ ଦେଖାଯାଏ

ଶୁଖିଯାଏ ଜଳାଶୟ

ମୁଣ୍ଡରେ ପଗଡ଼ି ବାନ୍ଧି ମାଛ ଧରା 

ଭୁଲି ହୁଏ ଖରା ଭୟ

ଆମ୍ବ ତୋଟା ମଧ୍ୟେ ପିଲାଙ୍କ ଗହଳି

ଆମ୍ବ ତୋଳିବା ଆନନ୍ଦ

ଲୁଣ ଲଙ୍କା ସହ ମିଶାଇ ଖାଇଲେ

ଜିହ୍ୱା ପାଇଁ ଭଲ ସ୍ଵାଦ

ଗାଆଁ ବି ସହର ବାସେ ଆଜିକାଲି

ପୂର୍ବ ପରି ନାହିଁ ଗାଆଁ

ଗାଆଁ ଖୁସି ପ୍ରାୟ ଲୋପ ପାଉ ଅଛି

ସଭିଏଁ ସହର ମୁହାଁ 

ଖରାଦିନ ପ୍ରାୟ ସବୁଠି ସମାନ 

ହେଉ ଗାଆଁ ବା ସହର

ସବୁଠି ଜଙ୍ଗଲ ଧ୍ଵଂସ ହୋଇଅଛି

ଉତ୍ତାପ ହୁଏ ପ୍ରଖର 


ସହରରେ ଖରା ଦିନ ନୁହେଁ ଭିନ୍ନ

ସବୁ ଦିନ ଖରା ଦିନ

କଂକ୍ରିଟ ଘେରରେ ବିତୁଛି ଜୀବନ

ଉତ୍ତପ୍ତ ପ୍ରାଣ ଓ ପଣ

କୃତ୍ରିମ ପାଣି ପବନ ଜଳବାୟୁ

ସହ ସହରୀ ଜୀବନ

ଅଭ୍ୟସ୍ତ ହୋଇଛି ହେଉଛି ପ୍ରତ୍ୟହ

ଖରାଦିନ ର ଭ୍ରମଣ

ଘରୁ ବାହାରିଲେ ଯାନ ଓ ବାହନ 

ଖରା ବର୍ଷା ଅବା ଶୀତ ଦିନ

ଖରାର ପ୍ରକୋପ ଯେତେ ବେଶି ହେଉ

କାର୍ଯ୍ୟ ସାଧନେ ଭ୍ରମଣ

ସହରର ଖରାଦିନ ନୂଆ ନୁହେଁ

ବାର ମାସି ଖରା ଭାରି 

ସତର୍କତା ଅବଲମ୍ବନ ସ୍ବରୂପ

ଜଳ ଛତ୍ର ସେହି ପରି

ଜଳ ଛତ୍ର ପାଣି କିଏ ପିଉ ଅଛି

ଜାଣିବା ଅନାବଶ୍ୟକ

ଜଳ ଛତ୍ର ଆୟୋଜନ କାରୀ ଚିତ୍ର

ଅତି ସ୍ପଷ୍ଟ ଓ ତୀର୍ଜକ 

ପାଣି ବିନା ଜଳ ଛତ୍ର ମାଳ ମାଳ 

ସୁନ୍ଦର ତୋରଣ ସହ

ଲୋକ ଦେଖଣିଆ ସେବା ମନୋବୃତ୍ତି 

ସହରିଆ ମାୟା ମୋହ

ଥଣ୍ଡା ପ୍ରାୟ ଏକ ସାଙ୍କେତିକ ଶବ୍ଦ

ସହରରେ ଲୋକ ପ୍ରିୟ

ଗବେଷଣା ଜନିତ ଜ୍ଞାନ ଜଡ଼ିତ

ସହରିଆ ଙ୍କୁ ପ୍ରତ୍ୟୟ

ପାର୍କ ଓ କୃତ୍ରିମ ସମୁଦ୍ର କୁଳର

ଭ୍ରମ ଦୃଶ୍ୟ ସହର ରେ

ନୂଆ ପୀଢ଼ି ପାଇଁ ଖରା ଦିନ ପ୍ରିୟ

ବାହାନା ଖରା ଆଳରେ 

ଦିନ ବେଳା ଆଇସ କ୍ରିମ ପାର୍ଲର

ବିୟର ବାର୍ ପସନ୍ଦ

ସନ୍ଧ୍ୟା ବେଳେ ଆନନ୍ଦ ହିଁ ଆନନ୍ଦ

ଖରା ଦିନିଆ ଆନନ୍ଦ

କେବଳ ମଧ୍ୟାହ୍ନ ସମୟ ଅଟକ 

କର୍ମ କ୍ଷେତ୍ରେ ଅବା ଘରେ

ଅନ୍ୟ ମୁହୂର୍ତ୍ତକୁ ଭ୍ରୁକ୍ଷେପ ନ ଥାଏ

ତାପ ଉତ୍ତାପ ଆକାରେ

ମୁଣ୍ଡ ଫଟା ଖରା ହେଲେ ଅବା ହେଉ

ଘରୁ ବାହାରି ବାହାରେ

ଜୀବନ ବଞ୍ଚାଇ ରଖିବା ସଙ୍ଘର୍ଷ 

ପ୍ରତି କ୍ଷଣେ ସହରରେ

ବଜାରରେ ପ୍ରାୟ ସବୁ ଉପଲବ୍ଧ

ଛତା ଜୋତା ଆଉ ପାଣି

ବେଶି ହେଲେ ଓଦା ଗାମୁଛା ଜରୁରୀ

ଏତେ କିମ୍ପାଇ ଭାଳେଣି !!

ଅଂଶୁଘାତ ସହିତ କାଳବୈଶାଖୀ 

ଡର ପ୍ରତି ମୁହୂର୍ତ୍ତରେ

ତଥାପି ଦିନ ସାରା ବ୍ୟସ୍ତତା ସହ

ବ୍ୟସ୍ତ ସର୍ବେ ସହରରେ

ବିଭିନ୍ନ ସୁସ୍ୱାଦୁ ପକ୍ବ ଫଳ ମିଳେ

ପ୍ରାୟ ହାତ ପାଅନ୍ତାରେ

ମନ ମଧ୍ୟେ ଖରା କଥାର ବିଚାର 

ଫଳ ଦେଖି ଯାଏ ଦୂରେ

ଆମ୍ବ ତୋଟା ଆଉ କୋଇଲି ର କୁହୂ 

ନକଲି ଯଦିଓ ହୁଏ

ସହରର ବ୍ୟସ୍ତ ଜୀବନ ଯାତ୍ରା ରୁ

ଅସଲି କୁ ଭୁଲି ହୁଏ

ପ୍ରାକୃତିକ ପରିବେଶ ଘେରା ସ୍ଥଳେ

ଖରା ହେଉଛି ଅସହ୍ୟ

ପ୍ରଦୂଷଣ ଭରା ସହର ଅଞ୍ଚଳ

କିପରି କରିବ ସହ୍ୟ !!


ଆଧୁନିକ ସଭ୍ୟତାର ଆଢ଼ୁଆଳେ

ଚାଳ ଘର ହୋଇ ଲୋପ

କଂକ୍ରିଟ ଘେର ଭିତରେ ହିଁ ଜୀବନ

ଘର ଭିତରେ ଉତ୍ତାପ

ନଡ଼ା ବାଉଁଶ ହିଁ ତାପ ନିରୋଧକ

ଖରା ଦିନେ ଉପକାରୀ

ବାହାର ର ଉତ୍ତାପ ନିୟନ୍ତ୍ରଣରେ

ହେଉଥିଲା କାର୍ଯ୍ୟକାରୀ

ଶୀତଦିନ କଥା ଆହୁରି ନିଆରା

ଘର ଭିତରେ ଉଷୁମ

ବାହାରେ ଯେତେ ବି ଥଣ୍ଡା ହେଉଥିଲେ

ଘର ଭିତର ଆରାମ

ଖରା ବର୍ଷା ଶୀତ, ତାପ ନିୟନ୍ତ୍ରକ 

ଥିଲା ସେହି ଚାଳଘର

କାଠ ଜାଳି , ମାଟି ହାଣ୍ଡିରେ ରୋଷେଇ

ସ୍ବାସ୍ଥ୍ୟ ପାଇଁ ଉପକାର 

କଂକ୍ରିଟ ଘର ପୁଣି କଂକ୍ରିଟ ରାସ୍ତା 

କଂକ୍ରିଟ କରେ ରାଜୁତି 

ନିଦାଘ କାଳରେ ସେହି କଂକ୍ରିଟ ର 

ତାପ ବିଷମ ସମ୍ପ୍ରତ୍ତି 

ଗ୍ରୀଷ୍ମ ଦିପହର ସମୟରେ ଝାଞ୍ଜି

ପବନରେ ସତେ ନିଆଁ

ଗରମ ଚାପୁଡ଼ା ମାଡ ହେଲା ପରି

ଉତ୍ତାପ ଯୋଗୁଁ ଛାନିଆ

ଗ୍ରୀଷ୍ମ ଦିନ ମଧ୍ୟାହ୍ନ ସମୟେ ତାପ

ଅସହ୍ୟ ହୁଏ ଧରାରେ 

ଜୀବ ଜନ୍ତୁ ଗଛ ଲତା ତରୁ ତୃଣ

ବ୍ୟାକୁଳତା ହୃଦୟରେ

ଦିନ ମଜୁରିଆ ଆଉ ପଥଚାରୀ ଗଣ

ଆଶ୍ରୟ ଗଛ ଛାଇରେ 

ଶୀତଳ ଜଳରେ ତୃଷା ନିବାରଣ

ତୃଷ୍ଣା ଜାଗ୍ରତ ମନରେ

ମଝିରେ ମଝିରେ ଝାଞ୍ଜି ପ୍ରବାହିତ

ଅଥବା ପବନ ଶୁନ୍ୟ

ଗୁଳୁଗୁଳି ସହ ଶରୀରରୁ ଝାଳ

ସନ୍ତାପିତ ହୁଏ ପ୍ରାଣ

ଉଦୁଉଦିଆ ଖରା ବେଳେ ଶୁଭେ

କା କା ସ୍ୱରେ କାଉ ରଡ଼ି

ବିରକ୍ତି ସହିତ ମନରେ ପ୍ରତ୍ୟୟ

ସତେ ଅବା ଘଡଘଡି 


ଓଡ଼ିଆ ଘରର ଖରା ଦିନ ଖାଦ୍ୟ

ବାସି ବା ସଜ ପଖାଳ

କଷି ଆମ୍ବ ନସି ମିଶିଗଲା ପରେ

ପାଟିରୁ ବାହାରେ ଲାଳ 

ସାରା ପରିବେଶ ଉତ୍ତପ୍ତ ବଳୟେ

ପେଟରେ ପଖାଳ ପାଣି

ଆଶ୍ବସ୍ତ ଲାଗଇ କେତେ ପରିମାଣେ 

ସେ କଥା କହି ହେବନି!

ସତର୍କତା ସହ ଚଳିବାକୁ ହୁଏ

ଖରାଦିନ ଦିପହରେ

ଅଂଶୁଘାତ ଭୟ ମନ ମଧ୍ୟେ ଜାତ 

ଆଶ୍ରୟ ଘର ଭିତରେ

ସୁର୍ଯ୍ୟ ଉଦୟ ହେବା ପରେ ତାତି 

କ୍ରମେ ମଧ୍ୟାହ୍ନ ରେ ବେଶି

ଅସହାୟ ଲାଗେ ଉତ୍ତପ୍ତ ଝାଞ୍ଜିରେ 

ଭଲ ଲାଗେ ଦହି ଲସି

ଦିନ ମଜୁରିଆ ଅସହାୟ ନିଜେ

ଦିପହରେ ଛାଇ ଖୋଜେ

ଖରା ବର୍ଷା ଶୀତ ତା' ପାଇଁ ସମାନ 

ବିଚରା ଦୁଃଖୀ ସହଜେ


ଖରା ଦିନ ପାଇଁ ଲମ୍ବା ଛୁଟି ହୁଏ

ପିଲାଙ୍କ ଖେଳିବା ଖୁସି

ଦିପହର ଖରା ଉତ୍ତାପ କୁ ଡରି 

ଘରେ ରହିଥାନ୍ତି ବସି 

ଖରା ଦିନ ଛୁଟି ବିତେଇବା ଆଳେ

ମନ ହୁଅଇ ଉଚ୍ଛନ୍ନ 

ନଦୀ ତଟ ଅବା ସମୁଦ୍ର କୂଳରେ

ରହିବାକୁ ଭାରି ମନ

ସଞ୍ଜବେଳେ ବହେ ଶୀତଳ ପବନ

ହାଲୁକା ହୁଅଇ ମନ

ମଲ୍ଲି ଫୁଲ ଫୁଟି ମହ ମହ ବାସ

ଶୀତଳ ହୁଏ ପରାଣ

କେତେ ଯାତ୍ରା ନାଟ ହୁଏ ରାତ୍ରୀ ବେଳେ 

ପିଲାଙ୍କ ମନରେ ଖୁସି 

ଦୋକାନ ବଜାରେ ସରବତ ପଣା

ଲେମ୍ବୁ ପଣା ଦହି ଲସି

ପାଚିଲା ଆମ୍ବ ପଣସ ଓ ସପୁରୀ 

ଆହୁରି ବିଭିନ୍ନ ଫଳ

କଷି କାକୁଡି ଓ କଷି କଷି ତାଳ

ବିକ୍ରି ହୁଏ ପକ୍ବ ଫଳ

କେତେ କିସମର ସୁସ୍ୱାଦୁ ଫଳରେ

ମନ ସିନା ବୁଝି ଯାଏ

ଶରୀର ରୁ ଝାଳ ନିର୍ଗତ ପ୍ରବଳ

ପରାଣ ବିକଳ ହୁଏ 

ଯେତେ ଯାହା ଖାଇ ପାଣି ପାଶେ ମନ

ଖରାଦିନେ ସବୁ ବେଳେ

ଖରା ମାସ,ଯେତେ ପିଇଲେ ବି ଶୋଷ

ଫୁଟାଇ ପିଇବା ଛାଣି      

ସବୁଠୁ ସୁଆଦ ପଖାଳ ଖାଇଲେ

ପିଇଲେ ଖଟା ତୋରାଣି

ପାଣି ହିତକାରୀ,ପାଣି ହିଁ ଜୀବନ

ଏହି ଶିକ୍ଷା ମିଳେ ବଳେ


ଉତ୍ତପ୍ତ ଧରଣୀ ପାଇଁ ଆମେ ଦାୟୀ

ଜଙ୍ଗଲ ସଫା ହୋଇଛି 

ପାହାଡ ଫଟାଇ କଂକ୍ରିଟ ଭିତରେ

ଆମ ଜୀବନ ବିତୁଛି

ପୁଣି ରାଜ ରାସ୍ତା ତିଆରି ହେଉଛି

କଂକ୍ରିଟ ର ରୂପ ଦେଇ

କଳକାରଖାନା ଦୂଷିତ ଧୁଆଁ ରେ

ବାୟୁ ଦୂଷିତ ହୁଅଇ

ମାଟି ପାଣି ବାୟୁ ନଦୀ ଓ ସମୁଦ୍ର

ପରିବେଶ ଆଜି ନଷ୍ଟ

ଉତ୍ତାପ ବହନ କରିବା କ୍ଷମତା

ଧରଣୀ ମାତାର ନଷ୍ଟ

ପ୍ରଚଣ୍ଡ ନିଦାଘ ଦାଉ ସାଧି ପରା 

ତାତି କରୁ ଅଛି ଖେଳ

ତ୍ରାହି ତ୍ରାହି ଡାକ ଜୀବ ଜଗତରେ

ତାତି ପ୍ରାୟ ଅସମ୍ଭାଳ......।।


Rate this content
Log in

Similar oriya poem from Drama