STORYMIRROR

Arjuni charan Behera

Fantasy Others

4  

Arjuni charan Behera

Fantasy Others

ସୁନ୍ଦର ପୁଷ୍ପ କନିଅର

ସୁନ୍ଦର ପୁଷ୍ପ କନିଅର

1 min
6


ଧନ୍ୟରେ ପୁଷ୍ପ କନିଅର l

     ରୂପ ତୋ ଅତି ମନୋହର ll

ନାମ ତୋ ପୁଣି କର୍ଣ୍ଣିକାର l

     କର୍ଣ୍ଣେ ଘେନନ୍ତି ଉମା ହର ll

ଜାତି ତୋହର କ୍ଷୁଦ୍ର ତରୁ l

      ଗହଳ ପଲ୍ଲବ ତୋ ସରୁ ll 

ଡାଳ ନହକା ପତ୍ର ବଙ୍କା l

      ଅଳପ ଦିଶୁ ଝଙ୍କା ଝଙ୍କା ll

କାହାଳୀ ପ୍ରାୟ ତୁହି ଦିଶୁ l

     କକାପି କୋକିଳଙ୍କୁ ତୋଷୁ ll

ସୁନ୍ଦର ପ୍ରଭାତରେ ଫୁଟି l

     ଦିନାବସାନେ ଯାଉ ଲୋଟି ll

ହରିତ ବୃକ୍ଷ ମନଲୋଭା l

      ବଢ଼ାଉ ରାଜପଥ ଶୋଭା ll

କଳି ତୋ ଶ୍ୱେତ ପୀତ ନାଲି l

     ହିଲ୍ଲୋଳେ ହସୁ ଖିଲି ଖିଲି ll

ମଧୁ ଲାଳସେ ମଧୁହର l

    ବେଢ଼ି ଅଛନ୍ତି ପାଶେ ତୋର ll

ସୁବର୍ଣ୍ଣ ଚଷକକୁ ଧରି l

        ନିଅନ୍ତି ମକରନ୍ଦ ହରି ll

ତୁ ଅଟୁ ପୁଷ୍ପ ବାରମାସୀ l

      ଶରଦକାଳେ ଫୁଟୁ ବେଶି ll

କାର୍ତ୍ତିକ ମାସେ କନିଅର l

        ପୂଜା ନକର ଗଦାଧର ll

ଏମନ୍ତ କହିଛନ୍ତି ଶାସ୍ତ୍ର l

       ବିଷ୍ଣୁଙ୍କ ପୂଜାରେ ବର୍ଜିତ ll

ବିଷାକ୍ତ ଫଳ ନାହିଁ ବାସ l

     ତୋତେ ଲୋଡ଼ନ୍ତି କୃତ୍ତିବାସ ll

ଶିବାଳୟର ଉପକଣ୍ଠେ l

       ସୁନ୍ଦର କନିଅର ଫୁଟେ ll

କନିଅରର ମାଳା କରି l

       ଅର୍ପିଲି ଦେବ ତ୍ରିପୁରାରୀ ll

        


Rate this content
Log in

Similar oriya poem from Fantasy