ଅଣଚାଶ ମରୁତଙ୍କ ଜନ୍ମକଥା
ଅଣଚାଶ ମରୁତଙ୍କ ଜନ୍ମକଥା
ଅଣଚାଶ ମରୁତଙ୍କ ଜନ୍ମକଥା
===============
ଋଷି କଶ୍ୟପ ଓ ଦୈତ୍ୟ ମାତା ଦିତିଙ୍କ ଦୁଇ ପୁତ୍ର ଥିଲେ, ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ । ଭଗବାନ୍ ବିଷ୍ଣୁ ଦୈତ୍ୟ ହିରଣ୍ୟାକ୍ଷକୁ ବରାହ ରୂପରେ ନିଧନ କରି ତା' କବଳରୁ ପୃଥିବୀକୁ ଉଦ୍ଧାର କରିଥିଲେ। ଦୈତ୍ୟ ହିରଣ୍ୟକଶିପୁକୁ ବିଷ୍ଣୁ ନରସିଂହ ରୂପରେ ବଧ କରି ହରିଭକ୍ତ ପ୍ରହଲ୍ଲାଦକୁ ରକ୍ଷା କରିଥିଲେ। ଭଗବାନଙ୍କ ଦୁଇ ଦୈତ୍ୟଙ୍କୁ ବଧ କରିବା ପଛରେ ପ୍ରଚ୍ଛନ୍ନ ସହାୟତା ଥିଲା ଇନ୍ଦ୍ରଙ୍କର ।
ଦୁଇ ପୁତ୍ରଙ୍କ ନିଧନପରେ ମାତା ଦିତି ଖୁବ୍ ଶୋକ ସନ୍ତପ୍ତା ହୋଇ ପଡ଼ିଲେ। ମାତା ଦିତି ଚିନ୍ତାକଲେ ଏହି ଦେବରାଜ ଇନ୍ଦ୍ରଟା ଖୁବ୍ ଉଚ୍ଛ୍ରୁଙ୍ଖଳିତ ହୋଇ ପଡ଼ିଛି। ତାକୁ ହତ୍ୟା କଲେ ଯାଇ ମନରେ ଶାନ୍ତି। ଏଣୁ ମୋର ଗୋଟିଏ ପୁତ୍ର ଦରକାର ଯିଏ ଇନ୍ଦ୍ରଙ୍କୁ ହତ୍ୟା କରି ପାରିବ।
ମନରେ ଏପରି ଚିନ୍ତା କରି ମାତା ଦିତି ପୁତ୍ର ଲାଭ ଆଶାରେ ଯାଇ ସ୍ଵାମୀ କଶ୍ୟପଙ୍କୁ ଖୁସି କରିବା ପାଇଁ ନାନା ଭାବେ ସେବା କଲେ । ପତ୍ନୀଙ୍କ ନିର୍ମଳ ଭକ୍ତି ଓ ସେବାରେ ଖୁବ୍ ପ୍ରୀତ ହୋଇ, ଦିନେ କଶ୍ୟପ କହିଲେ, ପ୍ରୀୟେ ! ତୁମ ସେବାରେ ମୁଁ ତୃପ୍ତହୋଇଛି। ତୁମେ କି ବର ମାଗୁଛ, ମାଗ। ଦିତି ଏହି ସୁଯୋଗରେ କହିଲେ, ସ୍ବାମୀ, ଆପଣ ଜାଣନ୍ତି, ବର୍ତ୍ତମାନ୍ ମୁଁ ପୁତ୍ରହୀନା। ଆପଣ ବର ଦେବାକୁ ଇଚ୍ଛା କରିଛନ୍ତି ତ ମୋତେ ଏକ ଶକ୍ତିଶାଳୀ ଓ ଅମର ପୁତ୍ର ଦିଅନ୍ତୁ, ଯିଏ ମୋ ପୁତ୍ରହନ୍ତା ଇନ୍ଦ୍ରଙ୍କୁ ହତ୍ୟା କରିପାରିବ।
ମହର୍ଷି କଶ୍ୟପ ଦ୍ୱିଧାରେ ପଡ଼ିଗଲେ । ସେ ଚିନ୍ତା କରିବାକୁ ଲାଗିଲେ ଶକ୍ତିଶାଳୀ ଅମର ପୁତ୍ର ପୁଣି ଇନ୍ଦ୍ରଙ୍କୁ ହତ୍ୟା କରି ପାରିବ ! ମୁଁ ତ ଦେବଦ୍ରୋହୀ ହୋଇଯିବି ! କିନ୍ତୁ ବର ଦେବାକୁ ଅଙ୍ଗୀକାର ବଦ୍ଧ ତ ହୋଇ ସାରିଛନ୍ତି ଆଉ ସେ କ'ଣ କରିବେ। ସେ ଭାବିଲେ ବର ତ ନିଶ୍ଚୟ ଦେବି କିନ୍ତୁ ସେହି ବର ଦ୍ୱାରା ଇନ୍ଦ୍ର କିପରି ବଧ ନହେବେ ତାର ଉପାୟ ଚିନ୍ତାକରିବାକୁ ହେବ। ଏପରି ଚିନ୍ତାକରି ସେ ପତ୍ନୀ ଦିତିଙ୍କୁ କହିଲେ, କଲ୍ୟାଣୀ, ମୁଁ ତୁମକୁ ଯାହା କହିବି ତାକୁ ତୁମେ ବର୍ଷକ ପାଇଁ ବ୍ରତଭଳି ଧାରଣ କରିବ। ଫଳରେ, ତୁମର ଇନ୍ଦ୍ରଙ୍କୁ ବଧ କଲା ଭଳି ପୁତ୍ର ଜାତ ହେବ। କିନ୍ତୁ ସେହି ବ୍ରତରେ କୌଣସି ତ୍ରୁଟି ହେଲେ ତୁମର ଜନ୍ମିତ ପୁତ୍ରଟି ଦେବତା ମାନଙ୍କ ବନ୍ଧୁ ହୋଇଯିବ। ଦିତି କହିଲେ, ସ୍ଵାମୀ ! ଆପଣ ମୋତେ ସେହି ବ୍ରତର ବିଧି ସବୁ କୁହନ୍ତୁ। ନିଷ୍ଠାର ସହିତ ମୁଁ ତାହା ପାଳନ କରିବି। ଦିତିଙ୍କୁ କଶ୍ୟପ ପୁଂସବନ ବ୍ରତର ବିଧି, ବିଧାନ ବତାଇ ଦେଲେ । ଦିତି ସ୍ବାମୀଙ୍କ ଠାରୁ ଗର୍ଭ ଧାରଣ କରି ଯଥାବିଧି ବ୍ରତ ପାଳନ କରିବାକୁ ଲାଗିଲେ।
ଇନ୍ଦ୍ର, ବ୍ରତଧାରିଣୀ ଦିତିଙ୍କ ଉଦ୍ଦେଶ୍ୟ ଜାଣି ଗଲେ। ହିସାବରେ ଦିତି ଇନ୍ଦ୍ରଙ୍କର ମାଉସୀ। ଏଣୁ ଦିତିଙ୍କ ଆଶ୍ରମରେ ସେ ଯାଇ ପହଞ୍ଚି ମାଉସୀଙ୍କର ସେବା ଶୁଶ୍ରୁଷା କରିବାରେ ଲାଗିଲେ। ଇନ୍ଦ୍ର ସିନା ଦିତିଙ୍କ ସେବା କରୁ ଥିଲେ କିନ୍ତୁ ତାଙ୍କର ଅସଲ ଉଦ୍ଦେଶ୍ୟ ଥିଲା ତାଙ୍କ ତ୍ରୁଟି ଧରିବା। ଏପରି ଦିନ ଗଡ଼ି ଚାଲି ଥାଏ ଇନ୍ଦ୍ର ତାଙ୍କର କୌଣସି ତୃଟି ପାଉ ନ ଥାନ୍ତି। ସେ ଖୁବ୍ ବ୍ୟସ୍ତ ହୋଇ ପଡୁଥାନ୍ତି। ଇତ୍ୟବସରେ ଦିନେ ଦିତି ଉଚ୍ଛିଷ୍ଟ ମୁହଁ ଓ ପାଦ ଧୋଇବାକୁ ଭୁଲି ଯାଇ ଯାଇ ଶୋଇ ପଡ଼ିଲେ। ଇନ୍ଦ୍ର ସୁଯୋଗ ପାଇ ନିଜ ଯୋଗ ବଳରେ ଅଚେତନ ଦିତିଙ୍କ ଗର୍ଭ ଭିତରେ ପ୍ରବେଶ କଲେ। ସେ ଦିତିଙ୍କ ସୁବର୍ଣ୍ଣ ପରି ଉଜ୍ଜ୍ବଳ ଗର୍ଭକୁ ବଜ୍ରଦ୍ୱାରା ସାତ ଖଣ୍ଡ କରି କାଟି ଦେଲେ। ସେହି ସନ୍ତାନମାନେ କ୍ରନ୍ଦନ କଲାରୁ ଇନ୍ଦ୍ର ତାଙ୍କୁ କାନ୍ଦ ନାହିଁ, କାନ୍ଦନାହିଁ, କହି ସାନ୍ତ୍ବନା ଦେଇ ପୁଣି ପ୍ରତି ଖଣ୍ଡକୁ ସାତ ଖଣ୍ଡ କରି କାଟି ପକାଇଲେ। ଏପରି ଇନ୍ଦ୍ର ସେହି ଗର୍ଭଛେଦନ କରିବାରୁ ସେ ଗର୍ଭଖଣ୍ଡ ସବୁ ହାତ ଯୋଡ଼ି କହିଲେ, ଆମେ ସମସ୍ତେ ତୁମ ଭାଇ ତୁମେ ଆମକୁ କାହିଁକି ମାରୁଛ। ସେମାନଙ୍କ ଆକୁଳ ପ୍ରାର୍ଥନା ଶ୍ରବଣକରି ଇନ୍ଦ୍ର କହିଲେ, ତୁମେ ଭୟ କର ନାହିଁ, ଭୟ କର ନାହିଁ। ତୁମେମାନେ ମୋର ଭାଇ। ତୁମେ ସବୁ ମୋର ପାର୍ଷଦ ହୋଇ ରହିବ। ଗର୍ଭର ସେହି ଅଣଚାଶ ଖଣ୍ଡ ହେଲେ, ଅଣଚାଶ ମରୁତ। ଦିତି ବର୍ଷେକାଳ ପୁଂସବନବ୍ରତ ପାଳନ କରି ଥିଲେ। ଏଣୁ, ସେହି ଅଣଚାଶ ଜଣ ଇନ୍ଦ୍ରଙ୍କ ସହ ପଚାଶ ଜଣ ଦେବତା ହୋଇ ଦିତିଙ୍କ ଗର୍ଭରୁ ବାହାରକୁ ବାହାରିଆସିଲେ। ଦିତିଙ୍କ ଗର୍ଭରୁ ଜନ୍ମ ହୋଇଥିବା ଅଣଚାଶ ମରୁତଙ୍କ ଦୈତ୍ୟ ଦୋଷକୁ ଇନ୍ଦ୍ର ଦୂର କରି ଦେଲେ। ଅଣଚାଶ ଜଣ ପୁତ୍ର ସମସ୍ତେ ସୋମପାୟୀ ଦେବତା ହୋଇଗଲେ। ଗର୍ଭକୁ ଇନ୍ଦ୍ର ଛେଦନ କରୁଥିଲା ବେଳେ, ସେମାନଙ୍କର କାନ୍ଦୁଥିବା ଦେଖି, ଇନ୍ଦ୍ର ସେମାନଙ୍କୁ ଯେଉଁ କାନ୍ଦ ନାହିଁ, କାନ୍ଦ ନାହିଁ ବା ସଂସ୍କୃତରେ, 'ମା ରୋଦୋଃ' କହିଥିଲେ ସେଇଥିରୁ ସେହି ଖଣ୍ଡିତ ଗର୍ଭପିଣ୍ଡ ଗୁଡ଼ିକର ନାମ ହେଲା ମରୁତ।
ଦିତି ନିଦ୍ରାରୁ ଉଠି ଦେଖନ୍ତି ତ, ସାମ୍ନାରେ ଇନ୍ଦ୍ରଙ୍କ ସହ ତାଙ୍କର ଅଣଚାଶଜଣ ତେଜସ୍ଵୀ ପୁତ୍ର ଠିଆ ହୋଇଛନ୍ତି। ସେ ଗୋଟିଏ ମାତ୍ର ପୁତ୍ର ପାଇଁ ବ୍ରତ ପାଳନ କରୁଥିଲେ। କିନ୍ତୁ ଏତେଜଣ ପୁତ୍ର କିପରି ହେଲେ । ସେ କିଛି ବୁଝି ନପାରି ପୁତୁରା ଇନ୍ଦ୍ରଙ୍କୁ ପଚାରିବାରୁ ଇନ୍ଦ୍ର ତାଙ୍କୁ ସମସ୍ତ ଘଟଣା କହିଲେ। ଇନ୍ଦ୍ର ପୁଣି ଦିତିଙ୍କୁ ପ୍ରାର୍ଥନା କଲେ, ହେ ମହିୟସୀ ଜନନୀ ! ମୂର୍ଖତା ବଶତଃ ମୁଁ ଯେଉଁ ଦୁର୍ଜନ ଭଳି ଅପରାଧ କରିଛି ତାହାକୁ ଆପଣ କ୍ଷମା କରିବେ। ଏପରି କହି ଇନ୍ଦ୍ର ଦିତିଙ୍କୁ ପ୍ରଣାମ କଲେ ଓ ମରୁତ୍ ଗଣଙ୍କ ସହ ସ୍ବର୍ଗକୁ ପ୍ରସ୍ଥାନ କଲେ।
ଏହାହିଁ ଥିଲା ଅଣଚାଶ ମରୁତ ବା ପବନଙ୍କ ଜନ୍ମ କଥା।
ଶ୍ରୀମଦ୍ ଦ୍ଭାଗବତର ଷଷ୍ଠ ସ୍କନ୍ଧ ଅଷ୍ଟାଦଶ ଅଧ୍ୟାୟରେ ଏହି କାହାଣୀ ବର୍ଣ୍ଣିତ ହୋଇଛି। କାହାଣୀ ଶେଷ କରି ପରୀକ୍ଷିତଙ୍କୁ ଶୁକଦେବ କହିଛନ୍ତି:-
ଆଜ୍ଞା ମାଗିଣ ସୁନାସୀର।
ଶୁଦ୍ଧଭାବ ଘେନି ମନର।।
ମରୁତ ଗଣକୁ ଘେନିଲେ।
ଆନନ୍ଦେ ଦିତିଙ୍କି ନମିଲେ।।
ଶୁଣ ରାଜନ ଚୁଡ଼ାମଣି।
ସ୍ୱର୍ଗକୁ ଗଲେ ବଜ୍ରପାଣି।।
! ଓଁ ନମୋ ଭଗବତେ ବାସୁଦେବାୟ !
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
