ମାଆ
ମାଆ
ଦଶମାସ, ଦଶଦିନ ଗର୍ଭବେଦନାରୁ ମୁକ୍ତି ପାଇ,
ମୋତେ ମାଟିର ଆଲୁଅ ସ୍ପର୍ଶ କରାଇଲ,
ସମାଜର ଗଞଣା ତୁମକୁ
ଉତିଷ୍ଠ କଲା ।
କିନ୍ତୁ,
ତୁମେ ଥିଲ ଶୂନ୍ୟ ପରି ନିରବ,
ପର୍ବତ ପରି ନିଶ୍ଚଳ ।
ମମତାର ପୀୟୂଷ ସିଞ୍ଚି ବଢାଇଲ ମୋତେ ।
ମାଆ ଡାକୁ ଡାକୁ ପାଟି
ଫିଟିଲା ମୋର ।
ପାପୁଲିରେ ମୋ ଆଙ୍ଗୁଠିକୁ ଚାପି,
ପାଦରେ ମୋ ପାଦକୁ ଥାପି
ତୁମେ ହିଁ ତ ବାଟ ଚାଲି ଶିଖାଇଲ ।
ଖଡିପଥର ଧରା ହାତଟିକୁ ନିଜ ହାତରେ ଧରି ଅଗଣାରେ ମଡାଉ ମଡାଉ,
ପରିଚିତ ହେଲି ଅକ୍ଷର ସହିତ।
ସୂର୍ଯ୍ୟର ପହିଲି କିରଣ ଭଳି ଉଷ୍ମ, କୋମଳ
ତୁମ କୋଳରେ ମଥା ରଖି
ସଂସାରରୁ ନିର୍ଭୟ ହେଉଥିଲି ମୁଁ ।
ଜ୍ୟୋସ୍ନା ପରି ମମତାର ଶୀତଳତାରେ
ସମସ୍ତ ଅଝଟପଣ ଥମିଯାଉଥିଲା ମୋର ।
ପକ୍ଷୀ, ଶାବକକୁ ଖାଦ୍ୟ ବାଣ୍ଟିଲା ପରି
ତୁମେ ପରା ମୋ ପାଟିରେ ଗୁଞ୍ଜିଦେଉଥିଲ ଭାତ ଗୁଣ୍ଡା!!
ତୁମ ଇଚ୍ଛାରେ ସ୍କୁଲ ଘର ଦେଖିଲି ମୁଁ ।
ତୁମରି ଆଶାକୁ ସାକାର କରିବାକୁ, ପାଦେ ପାଦେ ବଢିଲି
ଅନ୍ଧାର ରାତିରେ ବୁଢୀ ଅସୁରୁଣୀ କଥା ଶୁଣୁ ଶୁଣୁ,
ମନ ମୋ କଳ୍ପନା ରାଇଜେ ବୁଲିଲା ।
ସତୀ, ବୀରଂଗନାଙ୍କ କଥା କହୁ କହୁ ଶିଖାଇଲ
ନାରୀର ଆଦର୍ଶ ଆଉ କର୍ତ୍ତବ୍ୟ ।
** ** *** ** **
ସମୟର ମହାସମୁଦ୍ରରେ କୂଳଟିଏ ଥିଲା ।
ନିଜ ପାଦର ଭରସାରେ ଠିଆ ହୋଇଥିଲି ।
ସାଥେ ଧରି ପ୍ରଥମ ଉପାର୍ଜନ, ଆଉ ସେଥିରେ କିଣା
ସୁନାର ବାଉଟି ତୁମ ପାଇଁ ।
ହଠାତ୍!
ସ୍ୱପ୍ନ ମୋ ଭାଂଗି ଯାଇଥିଲା
ଦୁଇ ଆଖି ଖୋଲା, ବାଷ୍ପୀଭୁତ
ହୃଦୟର ସ୍ପନ୍ଦନ ବଢିଯାଇଥିଲା ।
ଦେଖିଲାବେଳକୁ, ମୋର ଦୁଇ ହାତ ଖାଲି ଥିଲା ।
ଚଉଦିଗେ ଖୋଜିଲି ତୁମକୁ ମାଆ,
ମୋ ପାଖକୁ ଲାଗି, ତୁମ ଶୋଇବା ସ୍ଥାନ
ଚିରଦିନ ଲାଗି ଶୂନ୍ୟ ଥିଲା .........