ବର୍ଷା ଓ ମୁଁ
ବର୍ଷା ଓ ମୁଁ
ରୋଷେଇ ଘରର ଝର୍କାରୁ ଦେଖୁଥିଲି
ସେଇ ପହିଲି ବର୍ଷାର ଧାରାକୁ
ବାଦଲ ଗର୍ଜି ବିଜୁଳିର ରୋଶଣିରେ
ଆମନ୍ତ୍ରଣ କରୁଥିଲା
ଜଳବିନ୍ଦୁର ନୃତ୍ୟକୁ ।
ବିନ୍ଦୁ ବିନ୍ଦୁ ବର୍ଷା, ଝରକା କାଚ
ବାଡେଇ ଡାକୁଥିଲେ,
ଆ! ଭିଜି ଭିଜି ଖେଳିବା
ଝୁରୁଥିଲି, ଖୋଜୁଥିଲି
ମୋ ଅନ୍ତର ର ଶୈଶବ ଟା ଧାଉଁଥିଲା ଭିଜିବାକୁ
ଆକଟ କରିଥିଲି ତାକୁ,
ଟାଣ କରି ହୃଦକୁ ।
ଆରେ! କାଚ କାନ୍ଥଟିଏ ପରା
ବର୍ଷା ଓ ମୋ ଭିତରେ
ମୁଁ ଯେ ବୟସର ଅପରାହ୍ନରେ
ସେ ତ ଚିର ଯଉବନ ଭରା ।
ଦିନେ ରିମ୍ ଝିମ୍ ସଙ୍ଗୀତକୁ ଗାଇ,
ଛମ୍ ଛମ୍ ଛନ୍ଦରେ ନାଚୁଥିଲି,
କାଗଜର ଡଙ୍ଗା କେତେ ଭସାଇ,
ଛତା ବିନା ବାଟ ମୁଁ ଚାଲୁଥିଲି ।
ଶୈଶବ ରେ ଡାକୁଥିଲି ବର୍ଷାକୁ
ବୁଝୁ ନଥିଲି, ବିଜୁଳିର ବେଗକୁ
ଭାବି ମୁଁ ଭୟଭୀତ
ହୁଏ ଆଜି,
ମିଛ ରେ ବର୍ଷାକୁ ବଦନାମ କରୁଛି ।