ଅପବାଦ ବୋଝ
ଅପବାଦ ବୋଝ
ଅପବାଦ ବହ୍ନି ଅନ୍ତର ଦାବାଗ୍ନି ଜଳି ଜଳି ସହେ ନାରୀ
ହୃଦୟ ଆବେଗ ଆଶ୍ଲେଷର ଭାବ ତନୁ ମନୁ ଯାଏ ମରି ।
ଦୋଷର ଆରୋପ ନିତି ବଜ୍ରପାତ ବିନା ମେଘେ ଯାଏ ସହି
ସହିଷ୍ଣୁତା ଗୁଣ ତଥାପି ନିଖୁଣ ସଂସାର ଜୀବନ ପାଇଁ ।
ଅସୀମ ଧୈର୍ଯ୍ୟର ପରୀକ୍ଷା ଦିଏ ସେ ପ୍ରତିକ୍ଷଣ ପରିବାରେ
ମନ ତଳ କଥା ଛାତି ତଳ ବ୍ୟଥା ଚାପି ହସେ ନିର୍ବିକାରେ ।
ଆନନ୍ଦ ବାଣ୍ଟଇ ଦୁଃଖେ ଖୁସି ହୋଇ ପତିବ୍ରତା ନାରୀ ବୋଲି
ତଥାପି ବିଟପୀ ଅସତୀ କୁଳଟା ସ୍ୱାମୀ ମୁହଁ ଦିଏ ଖୋଲି ।
ରାମାୟଣ ଗାଥା ପ୍ରକାଶେ ସତ୍ୟତା ମାତା ସୀତା ଦୋଷୀଯୁକ୍ତା
ରଜକୀ ବଚନ ଅସତୀ ରେ ଗଣ୍ୟ ପାତାଳ ଗଲେ ଦୁହିତା ।
ଭକ୍ତି ନିଷ୍ଠା ଭାବ ପ୍ରୀତିର ଉଦ୍ଭବ ସାଗର ଦୁଲଣି ମାତ
ଚଣ୍ଡାଳୁଣୀ ଗୃହେ ପ୍ରବେଶିଲେ ଲକ୍ଷ୍ମୀ ହୋଇଣ ପ୍ରସନ୍ନ ଚିତ୍ତ ।
ଅପବାଦ ବୋଝ ମସ୍ତକେ ମୁଣ୍ଡାଇ ମହାଲକ୍ଷ୍ମୀ ଦେଲେ ଶିକ୍ଷା
ଯୁଗ ଯୁଗ ପାଇଁ ମାନବ ଜାତିକୁ ଦେଇଥିଲା ଦିବ୍ୟ ଦୀକ୍ଷା ।