ସୁହାସିନୀ ଶୀତରାଣୀ
ସୁହାସିନୀ ଶୀତରାଣୀ
ଘାସ ଗାଲିଚାରେ ଶିଶିରର ଟୋପା
ମୁକ୍ତା ପ୍ରାୟ ଝଟକୁଛି
କଅଁଳା ବାଛୁରୀ ଅବୋଧ ଚପଳ
ମନ ଛନ୍ନଛନ୍ନ ନାଚୁଛି ।
ହେଉ ନାହିଁ ମନ ଆସିବାକୁ ଛାଡି
କଅଁଳିଆ ପ୍ରାତଃ ଖରା
ଶୀତରାଣୀ ତାର କାଉଁରୀ ପରଶେ
ଖୋଲିଛି ରଙ୍ଗ ପସରା ।
ବନ ଉପବନେ ମଧୁର ସୁବାସ
ଉଡେ ରଙ୍ଗ ପ୍ରଜାପତି
ଯୂଇ ଯାଈ ଚମ୍ପା ମାଳତୀ କେତକୀ
ଫୁଲ ଫୁଟେ ନାନା ଜାତି ।
ସୂରୁଜ କିରଣେ ରଙ୍ଗର ମୁରୁଜ
ରାତ୍ରୀ ଆସେ ପଟୁଆରେ
ଜଳେ ମିଞ୍ଜିମିଞ୍ଜି ତାରା ଦୀପପୁଞ୍ଜ
ସ୍ବପ୍ନ ମନେ ଉଙ୍କିମାରେ ।
ସ୍ବଚ୍ଛ ସାବଲୀଳ ନୀଳ ନୀଳିମାକୁ
ଜିଣି ଋତୁ ଶୀତରାଣୀ
ବରଷୁ ଅଛନ୍ତି ସ୍ନେହ ଶୁଭାଶିଷ
ହାସ୍ଯରେଖା ମୁଖେ ଟାଣି ।।
