ସତ୍ତା ହରାଏ 'ମୁଁ' ତ୍ବ
ସତ୍ତା ହରାଏ 'ମୁଁ' ତ୍ବ
ନିର୍ଜନେ କେବେ ବସିଛ ବଂଧୁ
ମୁକ୍ତ ଆକାଶ ତଳେ
ତାରକା ଖଚିତ ଚନ୍ଦ୍ର ଚକିତ
ଚାରୁଜ୍ୟୋତ୍ସ୍ନାର କୋଳେ
ଆହାକି ପୁଲକ ଭରା,
ପ୍ରାଣ ସଂଚାରୀ ବାୟୁ ହିଲ୍ଲୋଳେ
ହୋଇଛ ଆତ୍ମହରା ।।
ହଜିଯାଏ ଯହିଁ ଋଗ୍ଣ ଭାବନା
ସତେଜତା ଆସେ ଭରି
ପ୍ରସାରିତ ହୁଏ ଦୃଷ୍ଟିର ସୀମା
ପଥ ଲଙ୍ଘନ କରି
ସତ୍ତା ହରାଏ 'ମୁଁ' ତ୍ବ,
ଖୋଲିହୋଇଯାଏ ମୁଗ୍ଧ ଆବେଗେ
ଜୀବନ ଗୀତାର ତତ୍ତ୍ବ ।।
ସ୍ନିଗ୍ଧ ଧରାର ଅତୁଳ ଛବି ଏ
ମାନସେ-ଉଙ୍କିମାରେ
ଅମୃତମୟ ଲାଗେ ଏ ଜୀବନ
ପୁଣ୍ୟ-ଜଳଧି ତୀରେ
ସିଦ୍ଧ ତାପସ-ସମ
ଚେତନା ଲଭଇ ନିର୍ବାଣ-ଯହିଁ
ବିଶ୍ବାସ-କଳ୍ପଦ୍ରୁମ ।।
