ସନ୍ଧ୍ୟା
ସନ୍ଧ୍ୟା
ସ୍ଵର୍ଣ୍ଣିମ ଆଭାରେ ଝଟକେ ପୃଥିବୀ
ସଞ୍ଜ ଯେବେ ଆସେ ନଇଁ
ପଶ୍ଚିମ ଆକାଶ ନାଲି ଓ ନାରଙ୍ଗୀ
ରଙ୍ଗେ ଯାଏ ବୋଳି ହୋଇ।
ସୁରୂଜ ଦେବତା ଅତି ଚିନ୍ତାଶୀଳ
ମନ ତାଙ୍କ ଭାରାକ୍ରାନ୍ତ
ସତେକି ଆହୁରି କାମ ଅଛି ବାକି
କେ ପାଇବ ଆଦିଅନ୍ତ ।
କରି ପ୍ରତ୍ୟାଖ୍ୟାନ, ଯାଆନ୍ତି ବାହୁଡ଼ି
ଦିନ ବେଳ ଯାଏ ସରି
ନ ଥାଏ କିରଣେ ଉଷ୍ମତା ତାଙ୍କର
ମଧ୍ୟାହ୍ନେ ଥିଲା ଯେପରି।
ଗଛ ଯେତେ ଫଳ, ଫୁଲେ ଥିଲା ଭରି
ନଇଁଲା ପରି ଲାଗଇ
ସବୁଜିମାଭରା ପଣତ ତାହାର
ଅଧିକ ଗାଢ଼ ଦିଶଇ ।
ଚାରିଆଡେ ଭରିଯାଏ ନୀରବତା
ସିନ୍ଧୁ ନୀରବ ନିଶ୍ଚଳ
ପ୍ରସାରିତ ବକ୍ଷେ ଖେଳୁଥିଲେ କେତେ
ପକ୍ଷୀକୁଳ ଦଳ ଦଳ।
ସବୁ ଜନନୀଙ୍କ ମନରେ ଆବେଗ
କେବେ ଫେରିବେ ସନ୍ତାନ
ମୁହେଁ ସିନା ହସ ,କୋହ ହୃଦୟରେ
ଫେରନ୍ତା ବାଟରେ ମନ।
ଏପରି ସମୟ ଅତି ସନ୍ନିକଟ
ଦେବତା ସାନ୍ନିଧ୍ୟ ପାଇଁ
ତୁଳସୀ ମୂଳରେ ଜାଳି ସଞ୍ଜ ବତୀ
ଗୃହୀ ଶୁଭ ମନାସଇ ।
ଧନୀ କି ଗରୀବ ଅସହାୟ ସବୁ
ଆସେ ଯେବେ ବୃଦ୍ଧାବସ୍ଥା
ଶକତି,କ୍ଷମତା ହେଲା ସବୁ ଶେଷ
ସଂସାରେ ନ ରହେ ଆସ୍ଥା।
ଭାବନ୍ତି ମନରେ ଯାହା ଅରଜିଲି
ପରିବାର ସୁଖ ପାଇଁ
ସବୁ ଯିବି ଛାଡି କେବଳ ଧରମ
ସାଥିରେ ମୋ ଯିବି ନେଇ।