ଆଶଙ୍କା
ଆଶଙ୍କା
ମନ ଆକାଶରେ ଘୋଟିଆସେ ଯେବେ
ଅଦିନିଆ ମେଘ ପରି
ଆଶା କଢି ସବୁ ମଉଳେ ଗୋପନେ
ମୁଖରେ ବିଷାଦ ଭରି ।
ଥରିଉଠେ ଛାତି ଅଜଣା ଭୟରେ
ପ୍ରକମ୍ପିତ ହୁଏ ପ୍ରାଣ
ବିକଳେ ସୁମରେ ,ଥରି ଥରି କହେ
ରକ୍ଷାକର ନାରାୟଣ।
ଭରସା, ବିଶ୍ଵାସ ଦୋହଲି ଯାଏ ତ
ଆଶଙ୍କା ଆସିଲେ ମାଡ଼ି
ସ୍ଥିତପ୍ରଜ୍ଞ ଏକା ରହେ ଅବିଚଳ
ବିଭୁ ତା'ର ଆଶା ବାଡି।
ପାର୍ଥଙ୍କ ସାରଥୀ ହୋଇ ଗୀତା ଜ୍ଞାନ
ଦେଇଥିଲେ ନନ୍ଦ ସୁତ
ମନୁ ତେଜି ଭୟ , ଆଶଙ୍କା ଅର୍ଜ୍ଜୁନ
ଜିଣିଲେ ମହାଭାରତ ।
କୋକୁଆ ଭୟର ପରାଭବ କେତେ
ଦେଖିଅଛି ଏହି ଧରା
ହରିନିଏ ବୁଦ୍ଧି, ବିବେକର ବଳ
ମନ ଅବସାଦ ଘେରା।
ହେଉ ଆତ୍ମ ବଳେ ବଳୀୟାନ ନର
ହଟୁ ମାୟା ମରୀଚିକା
ଦଳି ଦେଇ ସବୁ ନିରାଶା ଓ ଦକା
ଚାଲିଥାଉ ଏକା ଏକା।