ମଧ୍ୟମ ପଥ
ମଧ୍ୟମ ପଥ
ପାହାଚେ ପାହାଚେ କରି
ଅହରହ ଟାଣି ହୋଇ ଚାଲିଛି
ତଳକୁ କି ଉପରକୁ ଜାଣିବା ଟା ମୁସ୍କିଲ୍ ।
ଜୀବନ ପାହାଚରେ ଚଢ଼ିବା ଖସିବା
ଉଭୟ ବଡ଼ କାଠିକର ପାଠ
ପୁଣି ଏକ ମାତ୍ର ଶେଷ ଗନ୍ତବ୍ୟ ।
କିଏ ବା କାହାକୁ ଅଟକାଇ ପାରିବ ?
ସମସ୍ତେ ଯାଉଛନ୍ତି ତୁ ବି ମାଡ଼ି ଚାଲ୍ ।
ତୋ ଅକ୍ତିଆରରେ କିଛି ତ ନାହିଁ
ଯଦି କେବେ ଆସି ବି ଯାଏ
ତୁ କ'ଣ ଏ ସ୍ରୋତକୁ
ନିଜ ମନ ମୁତାବକ ମୁହାଁଇ ନେଇ
ନୂଆ ଉଦେଶ୍ୟଟିଏ ଦେଇ ପାରିବୁ ?
ଦଳିତ ନିଷ୍ପେସିତଙ୍କ ମୁକ୍ତିଦାତା ସାଜିବୁ
ନା ଏକଛତ୍ରବାଦୀ ସମ୍ରାଟ ହେବୁ ?
କେଉଁ ସ୍ୱପ୍ନକୁ ତୁ ଆଗ
ଆଉ କାହାକୁ ପଛେ ପୂରଣ କରିବୁ ?
ଯୌବନରେ ଦେଖିଥିବା ସ୍ୱପ୍ନ ସବୁର
ନା ଟିକିଏ ବି ଚମକ ଅଛି ନା ଆକର୍ଷଣ
ଆଉ ନୂଆ ସ୍ୱପ୍ନଟିଏ ଦେଖିବାକୁ
ଶକ୍ତି କି ଆଗ୍ରହ ବି ନାହିଁ ।
ଏ ଲାଭଖୋର ମନ
ଲାଭ ପାଉଥିବା ଯାଏଁ
ଭଲଲୋକିର ମୁଖା ପିନ୍ଧିଥିବ
ଥରେ ପାନରୁ ଚୂନ ଖସିଗଲେ
ମୁଖା ତଳେ ଢ଼ୋଳାଉ ଥିବା
ସେ କୃର ଆଉ କୁତ୍ସିତ ରୂପଟି
ଚେଇଁ ଉଠିବାକୁ କ୍ଷଣେ ବି ସମୟ ନେବନି ।
ମିଛର ଆଉ ପ୍ଲାଷ୍ଟିକର ଚାହିଦା ସର୍ବତ୍ର
ଏହି ମିଛର ସାହାରା ନେଇ
ତୁ ବି ପାରୁ ଯାଏଁ ନିଜ ସ୍ୱାର୍ଥକୁ
ଚିରସ୍ଥାୟୀ କରିବାର ବୃଥା ପ୍ରୟାସ କରିଚାଲ୍
ଆଉ ବହି ଚାଲ୍ ଅବିରତ ଅବିଶ୍ରାନ୍ତ ।
ନ ହେଲେ ପଡ଼ିରହ ଲଙ୍ଗଳା ଆକାଶକୁ ଚାହିଁ
ବୈଶାଖର ଶୁଷ୍କ ତୃଷାର୍ତ୍ତ ପୋଖରୀ କୂଳେ
ଅଖୋଜା ଅଲୋଡ଼ା ଉତ୍ତପ୍ତ ପଥରଟିଏ ପରି ,
ଦିଅଁ ନଥିବା ପରିତ୍ୟକ୍ତ ଭଙ୍ଗା ମନ୍ଦିରଟିଏ ଭଳି
କିମ୍ବା ଗାଁ ମଶାଣିର କିଆବୁଦା ମୂଳେ
ଆଣ୍ଠେଇ ପଡ଼ିଥିବା ଫଟା ମାଲହାଣ୍ଡିଟିଏ ଯେମିତି ।
ପାରୁଛି ଯଦି ଏ ଭିଡ଼ରେ ଭିଡ଼ ହୋଇ ମିଶି ଯା
ନହେଲେ ଅସ୍ପୃଶ୍ୟ ବିଦ୍ରୋହୀଟିଏ ହୋଇ
ନିଃସଙ୍ଗ ବହିଷ୍କୃତ ଜୀବନକୁ ଆଦିରି ନେ
ଏହା ଛଡ଼ା ମଧ୍ଯମ ପଥଟିଏ ବି ଅଛି ,
ଅନ୍ଧ ମୁକ ଆଉ ବଧୀର ହୋଇ ବଞ୍ଚିବା ।