ଏତିକି ମାଗୁଣି ମାଆ
ଏତିକି ମାଗୁଣି ମାଆ
ଶରତ ଶୁଭ ଲଗନେ ଆସିଲ
ହସେ କାଶତଣ୍ଡୀ ଦେଖି
ପାର୍ବଣର ଋତୁ କଲା ଆନ୍ଦୋଳିତ
ସହର, ଗାଆଁ ତା' ସାକ୍ଷୀ।
ଘଣ୍ଟ,ଘଣ୍ଟା,ଭେରି, ତୂରୀ ଶବ୍ଦରେ
କମ୍ପେ ଗଗନ,ପବନ
ସୁନ୍ଦର ତୋରଣ ସାଜସଜ୍ଜା ସହ
ପୁଲକିତ ଜନ ମନ।
ଜ୍ୟୋତିର୍ମୟୀ ତୁମେ ଶ୍ରଦ୍ଧା, ବିଶ୍ବାସର
ଆଧାର ଅଛି ବୋଲାଇ
କିନ୍ତୁ ଧୀରେ ଧୀରେ ଯାଏ ଅପସରି
ବରଫ ପ୍ରାୟେକ ସେଇ।
ହେଲେ ରୂପାନ୍ତର କୋଇଲା ଯେ ହୀରା
ଚୂନପଥର ମାର୍ବଲ
କାହିଁଗଲା ତୁମ ଯାଦୁକରୀ ସ୍ପର୍ଶ
ହେଉ କେତେ କଲବଲ।
ଅବିଦ୍ୟାର କାଳ ରାତ୍ରି ବିସ୍ତାରିତ
ଚାରିଆଡେ ତା'ର କାୟା
ଆଲୋକ, ଆନନ୍ଦ, ଜ୍ୟୋତି ଓ ସାମର୍ଥ୍ୟ
ବାଟ ଓଗଆଳଇଛଇ ମାୟା।
ଶୋଷଣ, ଲୁଣ୍ଠନ, ଅରାଜକତାର
ରାଜତ୍ଵ ଏବେ ବି ଅଛି
ହିଂସା,ସମର ଆବର ପଶୁତ୍ଵ
ପ୍ରଭାବ ତା' ଦେଖାଉଛି ।
ଗୋଟିଏ ମହିଷା, ଚଣ୍ଡମୁଣ୍ଡ ସହ
ଶୁମ୍ଭ, ନିଶୁମ୍ଭଙ୍କୁ ମାରି
ପାପରାଶି କରି ଧରଣୀରୁ କ୍ଷୟ
ସଂସାରୁ ଦୁଷ୍ଟ ନିବାରି ।
ଏବେ କିମ୍ପା ତୁମେ ହୋଇଛ ମଉନ
ଅରାଜକତାର ଦେଶେ
ଦୁଷ୍ଟଙ୍କୁ ନିବାରି ସନ୍ଥ ପାଳିବାର
ଦିଶେ ନାହିଁ ଚଉପାଶେ।
ଅପସରି ଯାଉ ମାୟା ମରୀଚିକା
ପରଦା ହଟିବା ପରି
ଚାରିଆଡେ ଖେଳୁ ଆନନ୍ଦ ଲହରୀ
ଆଶିଷ ଦିଅ ମା ଗୌରୀ ।
ଚଳାଇ ନିଅ ମୋ ଜୀବନ ତରୀକୁ
ସବୁ ଜୀବେ କର ଦୟା
ସପନ କଳସ ହେଉ ମଧୁଝରା
ଏତିକି ମାଗୁଣି ମାଆ ।