ଶବ୍ଦ
ଶବ୍ଦ
କେତେ ରାଗ, ରୁଷା, ମାନ, ଅଭିମାନ
କେବଳ ତାହାରି ଲାଗି
ରୁଚିକର ହେଲେ କିଣି ନିଏ ମନ
ଯୋଗୀଟି ପାଲଟେ ଭୋଗୀ।
ଶକତି ଅସୀମ ଭରିଛି ତହିଁରେ
ମନେ ଭରଇ ପ୍ରେରଣା
ଶୁଷ୍କ ତରୁ ହୁଏ ପଲ୍ଲବିତ ପୁଣି
ଉଜାଣି ବହେ ଯମୁନା ।
ହିଂସା, ରକତପାତ ଆଣେ ଡାକି
ହେଲେ ଏପଟ ସେପଟ
କେବେ ଢାଳି ଦିଏ ପୀୟୁଷର ଧାର
ଫିଟାଏ ଶାନ୍ତିର ବାଟ।
ବୋଳି ଦିଏ ସିଏ ଚନ୍ଦନ ପ୍ରଲେପ
କରଇ ଦୁଃଖ ଲାଘବ
ତା' ପାଇଁ ଫୁଟଇ ଆଶାର କଦମ୍ବ
ଭରିଦିଏ ପ୍ରୀତିଭାବ।
ଧନୁଟିରୁ ଥରେ ଚାଲିଗଲେ ତୀର
ଲେଉଟି ନ ଆସେ ଭଲେ
ତୁଣ୍ଡରୁ ଥରେ ସେ ବାହାରି ପଡିଲେ
ନ ଫେରେ ଯେତେ ଚିନ୍ତିଲେ।
ଭାବି,ଚିନ୍ତି କଥା କହିବା ନୋହିଲେ
ଲୋକହସା ହେବା ସାର
ଅକ୍ଷୟ,ଅମର ସେ ଏକା ସଂସାରେ
ଆଉ ସବୁ ପାଣିଗାର।