ଆଶା
ଆଶା
ଯେଉଁ ଫୁଲ କଢି ଫୁଟଇ ଗୋପନେ
ନାମ ଅଟେ ତା'ର ଆଶା
ମନ ଉପବନ ହୁଏ ସୁରଭିତ
ନ ଫିଟୁ ପଛକେ ଭାଷା।
ଜୀଇଁବାର ଲାଗି ଯୋଗାଏ ଖୋରାକ
କଅଁଳେ ଶୁଖିଲା ଘାସ
ଭରଇ ମହକ କୋଣେ ଅନୁକୋଣେ
ପୁଲକିତ ପରିବେଶ।
ଶତ ସିଂହ ବଳ ଆସଇ ଦେହରେ
ଟଳିଯାଏ ମହା ମେରୁ
ବାଟବଣା ଲୋକ ପାଏ ତା' ଠିକଣା
ଜାଗି ଉଠେ ଶୁଷ୍କ ତରୁ।
ସଂଜୀବନୀ ସିଞ୍ଚେ ମୃତ ଶରୀରରେ
ଶୀତଳ କରେ ପରାଣ
ଅମା ଅନ୍ଧକାର ଆବରଣ ହଟି
ଝରଇ ସୁଧା କିରଣ ।
ଉଚ୍ଚତର ମହତ୍ତର ଭାବନା ଯେ
ସଳିତା ଆଶାର ବୋଲି
ରଖିଛନ୍ତି ବୁଦ୍ଧିଜୀବୀ ତାଙ୍କ ମତ
ମହଙ୍ଗା ଯେ ଆଜିକାଲି।।