ହଜିବା
ହଜିବା
ନିଜକୁ ଖୋଜି ପାଇବାକୁ ହେଲେ,
ହଜିବାକୁ ହୁଏ କେବେ
କେତୋଟି ମୂହୂର୍ତ୍ତ ସାଉଁଟିବାକୁ।
ସମସ୍ତ ଜଞ୍ଜାଳ, ସଂସାର ବନ୍ଧନଠୁ ଅନେକ ଦୂର,
ସାମାଜିକ ଗଣମାଧ୍ୟମ, ମୋବାଇଲ ଫୋନ,
ମାନବ ଜଗତକୁ ବାନ୍ଧି ରଖିଥିବା ଏଇ ଇଣ୍ଟରନେଟ ର ଜହର
ଏସବୁଠୁ ହଜିବା କୁ ହୁଏ।
ମୋହର ପଞ୍ଜୁରୀରୁ ନିର୍ମୋହ ଆକାଶକୁ,
ବନ୍ଧନଠୁ ମୁକ୍ତିର ପଥକୁ,
ହଜିବାକୁ ହୁଏ କେବେ କେବେ
ନିଜ ଭିତରେ,
କେବେ ଅନ୍ୟମାନଙ୍କ ମଧ୍ୟ ରେ,
କେବେ ଅବୁଝା, ଅବୋଧ ପ୍ରଶ୍ନରେ।
ପ୍ରଶ୍ନ ବି ହଜିଯାଏ ଉତ୍ତର ର ବେପରୁଆ ଢଙ୍ଗରେ।
ଏମିତି ହଜିବା ଖୋଜିବା ଲାଗି ରହିଥାଏ
ଅନ୍ଧାରରେ ହଜିବାକୁ ହୁଏ,
ପ୍ରକାଶ ଖୋଜିବାକୁ
ଦୁଃଖ ର ସାଗର ରେ ହଜି ହଜି ମୁକ୍ତା ଖୋଜିବାକୁ ହୁଏ।
ହଜିବାକୁ ଭଲଲାଗେ କେବେ କେବେ
ବିନା ଦ୍ବିଧାରେ
ନିଜ ଇଚ୍ଛାରେ ଫକୀରମୋହନଙ୍କ ଉପନ୍ୟାସ ଓ କୁନ୍ତଳା କୁମାରୀଙ୍କ କବିତାରେ
ପୁଣି କେହି ଅଜଣା ଲେଖକର ଅନାବନା ଲେଖା ରେ
ହଜିଯିବା ଶେଷ ନୁହେଁ
ହଜିଲେ ହିଁ ନିଜକୁ ଖୋଜିହୁଏ
ନ ହଜିଲେ ଖୋଜିବ ବା କିଏ?
ପାଇବ ବା କେମିତି?
ନୂତନ ଆରମ୍ଭ ପାଇଁ ଏକ ଭିନ୍ନ ପଥ ର ସନ୍ଧାନ,
ଏକ ନବ ଜୀବନ
ହଜିଗଲେ ହିଁ ଖୋଜିହୁଏ ।