STORYMIRROR

Laxmi Priya

Romance Classics

4  

Laxmi Priya

Romance Classics

ବାକି ଯେତେ ପ୍ରେମ କଥା

ବାକି ଯେତେ ପ୍ରେମ କଥା

1 min
243

ମହକି ଆସୁଛି ଆମ୍ବ ବଉଳର

ମନମତାଣିଆ ବାସ୍ନା

ବିଞ୍ଚି ହୋଇପଡେ ପୁନେଇଁ ଜହ୍ନର

ରୂପା ଜରି ରଙ୍ଗ ଜ୍ୟୋତ୍ସ୍ନା 

ବସନ୍ତ ଆଣିଛି ପ୍ରେମ ପତ୍ରରେ

ତୁମ ହୃଦୟର ବାର୍ତ୍ତା,

ଫେରିଲେ କହିବି ମନ ଲଫାପାରେ

ବାକି ଯେତେ ପ୍ରେମ କଥା।

ଫଗୁଣ ମଳୟ ପୁଲକାଏ ମନ

ଜଳାଏ ବୈଶାଖୀ ଝାଞ୍ଜି

ମନେଇ ଆଷାଢ଼ ଭିଜାଇ ଜଳାଏ

ନେତ୍ର କୋଣେ ଟାଣି ଲାଞ୍ଜି

ପ୍ରତୀକ୍ଷାରେ କେତେ ଦିନ ବିତିଯାଏ

ବିତିଯାଏ କେତେ ସନ୍ଧ୍ୟା

ସ୍ମୃତି କେବେ ଦିଏ ଅଧରରେ ହସ

ଆଖି ହୁଏ କେବେ ଓଦା

ତୁମ ଠାରୁ କେବେ ଲୁଚାଇ ହୁଏନା

ଅନ୍ତର ତଳର ବ୍ୟଥା,

କବିତାରେ ମୋର ରଚି ହୋଇଯାଏ

ବାକି ଯେତେ ପ୍ରେମ କଥା।

ମାନ,ଅଭିମାନ,ମାନ ଭଞ୍ଜନର

ପ୍ରେମ ଲାଗେ ଭାରି ମିଠା

ତୁମରି ସ୍ମୃତିରେ ଗହଳ ଚହଳ

ଆମ୍ବ ତୋଟା, ନଈ ପଠା

ଏକା ବସିଥିଲେ ମନ ହଜିଯାଏ

ଅନାବନା ଭାବନାରେ

ଅପେକ୍ଷା କରିବା କଷ୍ଟ କି ସହଜ

ତୁମେ ଭାବିଦେଖ ଥରେ

ମୋ ମନ ଦର୍ପଣେ ସ୍ପଷ୍ଟ ଦେଖାଯାଏ

ତୁମ ମନ ବ୍ୟାକୁଳତା,

କହି ଦେଖ ଥରେ ହୃଦୟେ ସାଇତା

ବାକି ଯେତେ ପ୍ରେମ କଥା।


 ତନ୍ଦ୍ରାହୀନ ରାତି,ଉଦାସୀ ନୟନ

ଚାହେଁ ଯେବେ ଝରକାରେ

ତାରାଙ୍କ ଭିଡ଼ରେ ଏକାକୀ ଜହ୍ନ ଟା

ବିରହୀ କଇଁକୁ ଝୁରେ

ପ୍ରତୀକ୍ଷା ରଜନୀ ବିତେନାହିଁ ଜମା

ଅଟକି ଯାଏ ମୋ ପାଶେ

ଅନ୍ଧାରେ ନୀରବେ ଅଭିମାନୀ ମନ

ତୁଚ୍ଛାଟାରେ ରାଗେ ରୁଷେ

ତଥାପି ଏ ମନ ପ୍ରତୀକ୍ଷାରେ ଥାଏ

ଏହା ହିଁ ବାସ୍ତବତା ,

ଆତ୍ମ‌ସଂଯମର କାହାଣୀ ଶୁଣାଏ

ବାକି ଯେତେ ପ୍ରେମ କଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance