ପ୍ରତୀକ୍ଷା
ପ୍ରତୀକ୍ଷା
ସଜାଇ ରଖିଛି ମନ କୁଞବନ
ଡାକୁଛି ତୁମକୁ ନିତି
ତୁମେ ମୋର ପ୍ରେମ ହେ କୃଷ୍ଣ କେଶବ
ତୁମେ ତୃଷ୍ଣା, ତୁମେ ତୃପ୍ତି ।
କେଜାଣି କେମିତି ଜାଣିନି ମୁଁ କାହ୍ନା
ତୁମକୁ ପାଇଲି ଭଲ,
ରଙ୍ଗ ଅଧରରେ ମନ୍ଦ ମନ୍ଦ ହସି
ଚିତ୍ତ ମୋ ଚୋରାଇ ନେଲ ।
ଭାବନାରେ ତୁମେ, କଳ୍ପନାରେ ତୁମେ
ତଥାପି ତୁମ ପ୍ରତୀକ୍ଷା
ତୁମକୁ ଦେଖିବି ବେନି ନୟନରେ
ତୁମ ପ୍ରେମ କରେ ଭିକ୍ଷା ।
ଏ ଜୀବନ ଅଟେ ମରୁଭୂମି ସମ
ସୁଖ ସେତ ମରୀଚିକା
ତୁମ ପ୍ରେମ ଲାଗେ ମରୁଝର ପରି
ଆସି ଥରେ ଦିଅ ଦେଖା ।
ନୟନର ନୀରେ ଧୋଇ ଦେବି ପାଦ
ବସାଇବି ନେଇ ହୃଦେ,
ଏ ମନ, ଜୀବନ କଲି ସମର୍ପଣ
ବଂଶୀଧାରୀ ପଦ୍ମପାଦେ ।
ବାସି ଉଠୁଥିବ ଚନ୍ଦନ, କସ୍ତୁରୀ
ଆସୁଥିବ ତୁମେ ହସି,
କେରି କେରି ହୋଇ ଦୟଣା,ତୁଳସୀ
ଅଙ୍ଗୁ ପଡୁଥିବ ଖସି ।
ମୟୂର ଚନ୍ଦ୍ରିକା ଖୋସିଥିବ ଶିରେ
ପିନ୍ଧିଥିବ ପିତାମ୍ବରୀ,
ମୋହନ ମୂରଲୀ ହାତେ ଧରିଥିବା
ଦେଖୁଥିବି ନେତ୍ର ଭରି ।
ବାଙ୍କ ଚାହାଣୀ ରେ ଚାହିଁ ଦେବ ଟିକେ
ଦୂର ହେବ ସବୁ ଦୁଃଖ,
ତୁମ ଦରଶନ ବିନା ଲୋଡା ନାହିଁ
ଏ ଜୀବନେ ସ୍ୱର୍ଗ ସୁଖ ।
ନିଶି ଦିବସରେ ଝୁରୁଛି ତୁମକୁ
ତୁମେ କି ପାରୁନ ଜାଣି?
ଧୌର୍ଯ୍ୟ, ପ୍ରତୀକ୍ଷା ର ପରୀକ୍ଷା ନେଉଛ
କିବା ଆହେ ନୀଳମଣି ।
ଆସିବ ଆସିବ ନିତି ମୁଁ ଭାବୁଛି
ହେଲେ ତୁମେ ଆସ ନାହିଁ
ବଞ୍ଚିଥିବା ଯାଏ ଶ୍ୟାମଘନ ତୁମ
ପଥ ରହିଥିବି ଚାହିଁ ।