ସେଇ ପୁରୁଣା ଦିନ
ସେଇ ପୁରୁଣା ଦିନ
ଏମିତି ବୋଧେ ସେଇ ପୁରୁଣା ଦିନମାନେ
ଉତୁରି ଆସିବେ ଅତୀତର ଛିନ୍ନ ପୃଷ୍ଠା ଭିତରୁ
ଅକ୍ଷରରୁ ବ୍ୟାପିଯିବେ ଅକ୍ଷାଂଶ ପର୍ଯ୍ୟନ୍ତ
ଦୈର୍ଘ୍ୟ ଯା'ର ଲମ୍ବିଥିବ ଦ୍ରାଘିମା ପର୍ଯ୍ୟନ୍ତ
କେବେ କିଛି ଭୁଲି ଯାଇଥିବା ପଣକିଆ ସହ
ଆସିବେ ସେ ଦିନ ମାନେ କୋଳାହଳ କରି
ଜମିଥିବା ବହଳ ଧୂଳିକୁ ଉଡ଼ାଇ
କେବେ ଆଖିରେ ଭାଙ୍ଗିବାକୁ ଅବ୍ୟକ୍ତ ଲହଡ଼ି
କେବେ ଓଠରେ ଫୁଟାଇବାକୁ ଗୋଲାପି ପଙ୍ଖୁଡ଼ି।
ଫେରିବେ ସେ ଦିନ ମାନେ ଯେବେ ଚହଳ ପକାଇ
କେବେ ନିଃଶବ୍ଦ ବିଛଣାର ଉଷ୍ମତା ଭିତରୁ,
ହୁରି ପକେଇ ଜାହିର କରି ବସିବେ ନିଜ ଉପସ୍ଥିତି
ଘର କଥା ସବୁ ଦାଣ୍ଡରେ ଗଡ଼େଇ,
କବିତା କାହାଣୀ ସବୁ ବଖାଣି ବସିବେ
କଥା ସହ ନଥା ଯୋଡ଼ି କେତେ କଣ ଲଗେଇ ଜୁଟେଇ।
ଆସନ୍ତୁ ପଛକେ କିନ୍ତୁ ନ ଭାଙ୍ଗନ୍ତୁ
ଏଇ ଏବେ ଏବେ ବସିଥିବା ଘର
ଫେରିଯାନ୍ତୁ ନିର୍ଜନରେ ପିଠି ମୁଣ୍ଡ ଦେହକୁ ଆଉଁସି
ନା ପୁରାଉ ତାଙ୍କ ପାଇଁ ଏ ଦେହରେ ଜ୍ଵର
ସ୍ମୃତି ସବୁ ସ୍ମୃତି ହୋଇ ନ ଲଂଘନ୍ତୁ ନିଜ ପରିସୀମା
ନ ଗୋଳନ୍ତୁ ବର୍ତ୍ତମାନର ପେୟରେ ଜହର।