ଅନ୍ନପୂର୍ଣ୍ଣା ପୂଜା
ଅନ୍ନପୂର୍ଣ୍ଣା ପୂଜା
ଧର୍ମ ଭୂମି ଏହୁ କର୍ମ ଭୂମି ଏହୁ
ଅଟେ ଏ ବିଚ୍ଛିନ୍ନାଞ୍ଚଳ
ମାର୍ଗଶିର ମାସ ପବିତ୍ର ମାସରେ
ମର୍ତ୍ତ୍ୟର ଭକ୍ତି ଉଚ୍ଛଳ !!
ପୂଜା ଅନ୍ନପୂର୍ଣ୍ଣା ହୁଏ ଟି ଭକ୍ତିରେ
ନେତ୍ରେ ଅନ୍ନପୂର୍ଣ୍ଣା ରଙ୍ଗ
ଶଙ୍ଖ ହୁଳହୁଳି ପଡୁଛି ଭକ୍ତିରେ
ବାଜୁଛି ଘଣ୍ଟା ମୃଦଙ୍ଗ !!
ଭୂମି ସିଂହଭୂମି ଗାଆଁ ଛେଲକାନୀ
ହୁଏ ମାଆଙ୍କର ପୂଜା
କରୁଣା କରନ୍ତି ମାତା ଅନ୍ନପୂର୍ଣ୍ଣା
ତହୁଁ ଖୁସି ଜନ ପ୍ରଜା !!
ଦୁର୍ଭିକ୍ଷ ବ୍ରହ୍ମାଣ୍ଡେ ହାହାକାର ରାବ
ଯହୁଁ ହେଲା ମର୍ତ୍ତ୍ୟପୁର
ମର୍ତ୍ତ୍ୟେ ଯେ ରୋଦନ ଶୁଭେ ଭୟଙ୍କର
ହେ ଶିବ କରୁଣା କର !!
ଭିକ୍ଷୁକ ରୂପକୁ ଧରି ମହାଦେବ
ଗଲେ ପାର୍ବତୀ ଛାମୁରେ
ରକ୍ଷାକର ଦେବୀ ଶକ୍ତିରୂପା ତୁମେ
ପୂଜିଲେ ଦେବ ଭକ୍ତିରେ !!
ଦେଖଦେଖ ଦେବୀ ବ୍ରହ୍ମାଣ୍ଡ ଯନ୍ତ୍ରଣା
ଦୁର୍ଭିକ୍ଷ କରେ ବିନାଶ
କରୁଣା କରହେ ଜଗତ ଜନନୀ
ବ୍ରହ୍ମାଣ୍ଡ ତୁମରେ ଆଶ !!
ପ୍ରଶନ୍ନ ହୋଇଲେ ମା ଦୁର୍ଗା ପାର୍ବତୀ
ରୂପ ଧରି ଅନ୍ନପୂର୍ଣ୍ଣା
ଦୁର୍ଭିକ୍ଷ ତାଣ୍ଡବ ଦୂର କଲେ ମର୍ତ୍ତ୍ୟେ
ବିଶ୍ଵ କଲେ ଲକ୍ଷ୍ମୀପୂର୍ଣ୍ଣା !!
ସେହୁ କାଳ ଠାରୁ ଅନ୍ନପୂର୍ଣ୍ଣା ପୂଜା
ମର୍ତ୍ତ୍ୟପୁରେ ଆବିର୍ଭାବ
ଭକ୍ତି ପ୍ରୀତି ଶ୍ରଦ୍ଧା ଚରଣେ ତାଙ୍କର
ଦୂର କରନ୍ତି ଅଭାବ !!