STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ତଥାପି ଏଠାରେ

ତଥାପି ଏଠାରେ

1 min
170


ତଥାପି ଏଠାରେ

ପେଟ ଖାଲି, ଆଖି ଖୋଲା

ଅଥଚ ବଞ୍ଚିବାର ସ୍ଵାଦ

ପାଣି ଓ ପବନ ସହିତ

ବରଂ ନିଦ ନ ହେଉ

ଶୋଇବାକୁ ହେବ

ଯାହା ହେଲେ ବି ସ୍ବପ୍ନ ଦେଖିହେବ

ସୁଖ ସ୍ବପ୍ନ ଆଗାମୀ ଦିନର।  


ତଥାପି ଏଠାରେ

ପାହାନ୍ତିଆ ନିଦୁଆ କାନରେ

ଭଜନର ସ୍ୱର , ଶାନ୍ତ ପରିବେଶ

ମନରେ ଜାଗ୍ରତ , ବଞ୍ଚିବାର ସ୍ଵାଦ

ନିତ୍ୟକର୍ମର ଆରମ୍ଭ

ପୁରୁଣା ଟୁଥ ବ୍ରସ୍ ରେ 

ନୂଆ କମ୍ପାନୀର ଦାନ୍ତ ଘଷା ପେଷ୍ଟ୍

ଯାହା ହେଲେ ବି ଦାନ୍ତ ସଫା ହେବ ।


ତଥାପି ଏଠାରେ

କୋଳାହଳ ଦୋକାନ ବଜାର

କିଣା ବିକା,ଲାଭ ଆଉ କ୍ଷତି

ଜଳଖିଆ ଦୋକାନରେ ଭିଡ

ପାଖ ଚାହା ଦୋକାନରେ ସଂଖ୍ୟାଧିକ ଠିଆ

ଯାହା ହେଲେ ବି ଭୋକ ମେଣ୍ଟିଯିବ


ତଥାପି ଏଠାରେ

ଖରାବେଳେ ନିଛାଟିଆ ରାସ୍ତା

ଭିକାରି ବିଶ୍ରାମ ମୁଦ୍ରାରେ

ରାସ୍ତା କଡେ ଶୁଆ ପାଞ୍ଜି ଦେଖା

ଭଡ଼ାଘରେ ଟୋକାଙ୍କ ଉତ୍ପାତ

ପାହାଚରେ ଛିଣ୍ଡା ମଲ୍ଲି ମାଳ

ତିକ୍ତ ପରିବେଶ,ବଞ୍ଚିବାର ଅଶେଷ ପ୍ରୟାସ

ଯାହା ହେଲେ ବି ମନ ବୁଝିଯିବ।


ତଥାପି ଏଠାରେ

କ୍ଳାନ୍ତ ଅପରାହ୍ନ ଅଳସ ଭାଙ୍ଗୁଛି

ଶୁଖୁଆ ପୋଡ଼ା ଗନ୍ଧରେ

ବାରି ପଟେ କାଉ କା କା

ବୋଧେ କିଏ କୁଣିଆ ଆସିବ

ଅଧ ଡ଼ଯନ୍ ର ସଂସାର ଭିତରେ

ଗୃହିଣୀର ମାଲିକାଣୀ ସ୍ବପ୍ନ

ଦାରିଦ୍ର୍ୟର ଶେଯ ପରେ ସ୍ବପ୍ନିଳ ବିଳାସ

ଯାହା ହେଲେ ବି ଆଶା ବାନ୍ଧି ହେବ।


ତଥାପି ଏଠାରେ

ଦୃଶ୍ୟ ଅଛି ଗୋଧୂଳି ବେଳାର

ବାଲି ଖେଳ ଲଙ୍ଗଳା ଶିଶୁଙ୍କ

ମିଛ ବୋହୂ, ମିଛ ବରବେଶ

ମିଛ ରନ୍ଧା ବଢ଼ା

ଯାହା ହେଲେ ବି ଖେଳି ଖେଳି ବଞ୍ଚିବାକୁ ହେବ

ଖେଳ ଜୀବନର ପ୍ରତି ସୋପାନରେ !


ତଥାପି ଏଠାରେ

ମୁହଁ ସଞ୍ଜ ବେଳ

ମଦ ଦୋକାନରେ ଲାଗିଲାଣି ଭିଡ

ମୁଖା ପିନ୍ଧା ଏପଟ ସେପଟ

ମୋହଗ୍ରସ୍ତ ଚଳନ୍ତି ସମାଜ

ପାଖ ମନ୍ଦିରରୁ ଖଞ୍ଜଣି ଶବଦ

ଅନ୍ୟ ପଟୁ ଆଲ୍ଲା ଆକବର

ଯାହା ହେଲେବି ହେଉ ଶାନ୍ତ ପରିବେଶ !


ତଥାପି ଏଠାରେ

କାଳ ରାତ୍ରି କେତେ ପାପ କଥା

ପେଟ ପାଇଁ ନୂଆ ବୋହୂ ଦେହ ବିକୁଅଛି

କବାଟରେ କାହାର ଆଘାତ

ଡକାୟତ ଅବା ଉଗ୍ରବାଦୀ ଭୟ

ନ ଖୋଲିଲେ ହିଁ ନିରାପଦ

ରସ ରଙ୍ଗ ସହିତ ଶୋଇବାକୁ ହେବ

ଯାହା ହେଲେ ବି ପୁଣି ଉଠିବାକୁ ହେବ

ସକାଳୁ ସକାଳୁ ପେଟ ଖାଲି,ଆଖି ଖୋଲା

ତଥାପି ବଞ୍ଚିବାର ସ୍ଵାଦ,ନୂଆ ନୂଆ ଦିନୁ ପ୍ରତିଦିନ!!!



Rate this content
Log in

Similar oriya poem from Abstract