STORYMIRROR

Kalpana Mishra

Abstract

3  

Kalpana Mishra

Abstract

ରଜ ମଉଜ

ରଜ ମଉଜ

1 min
202


 ବିଦା ହେଲା ଜ୍ୟେଷ୍ଠ ପଞ୍ଜିକା ଭିତରୁ

   ଆଷାଢ଼ ଆସୁଛି ଚାଲି,

ବିଦଗ୍ଧ ଧରିତ୍ରୀ ନେହୁରା ହେଉଛି

  ଗ୍ରୀଷ୍ମକୁ ଯାଉନି ବୋଲି।


ଧୂସର ଉଷର ସାଜିଛି ତା ବକ୍ଷ

  କ୍ଷୀଣ କାୟା ସ୍ରୋତସ୍ୱିନୀ,

ତପ୍ତ ଝାଞ୍ଜି ଦିଏ କାଳ ବୈଶାଖୀ

  ବଜ୍ର ବିଦ୍ୟୁତ ରୋଷଣୀ।


ଲୁଚିଛି ମୌସୁମୀ କେଉଁ ସାଗରରେ

   ଧରା ବୁକେ ଭରା କୋହ,

ବର୍ଷା ନ ଆସିଲେ ଆଷାଢ଼ ମାସରେ

  କିଏ ପୋଛିବ ତା ଲୁହ।


ଶ୍ରେଷ୍ଠ ଜୀବ ପରା ବୋଲାଏ ମାନବ

   ପରିବେଶ କରେ ନଷ୍ଟ,

ଶ୍ୟାମଳ ପୃଥିବୀ ମରୁଭୂମି ସାଜି

   ପାଏ ଅସହଣୀ କଷ୍ଟ ।


ତୃଷିତ ମୟୂର ହୁଏ ଆନମନା

  ଆକାଶରେ ନାହିଁ ଘନ,

ପୁଚ୍ଛ ଲେଉଟାଇ କହୁଛି ଚାତକେ

   ତୃଷ୍ଣା ମେଣ୍ଟିବନି ଜାଣ।


ଶୁଷ୍କ ପୁଷ୍କରିଣୀ ପାରୁଶେ ଭେକଟି

   ଚାହିଁଛି ଶୁନ୍ୟ ନଭକୁ,

ରଡ଼ି ଛାଡିବାକୁ ବଳ ତା ପାଉନି

   ଧିକ୍କାର କରେ ନିଜକୁ।


ରଜର ମଉଜ ଫିକା ପଡ଼ିଲାଣି

   ଦୋଳି ପାଇଁ ନାହିଁ ଗଛ,

ଗଜ ଡାକୁନାହିଁ ବନସ୍ତରେ ଆଉ

   ଗୀତ ବି ହେଲାଣି ମିଛ।


ଟାଇଁ ଟାଇଁ ଖରା ଧୋଇ ଦେଉଅଛି

   କୁମାରୀ ମୁଖ ପ୍ରଲେପ,

ପୋଡ଼ ପିଠା ଆଜି ଶିରୀ ହରାଇଛି

   ପିଜ୍ଜା ,ଚାଓମିନ ଜପ ।


ରଜ ସଜବାଜ ଚୁଲିକି ଗଲାଣି

   ଚାଷୀ ପୁଅ ବିଦେଶରେ,

କଣ୍ଟ୍ରୋଲ ଚାଉଳ ପେଟ ଭରିଦିଏ

  କି ଲାଭ ଆଉ ଚାଷରେ।


ଓଡ଼ିଶା ପ୍ରଦେଶ କୃଷି ପାଇଁ ଖ୍ୟାତ

   ରଜ ପର୍ବ ମୁଖ୍ୟ ତେଣୁ,

 ଏବେ ପାଳୁ ରଜ ପାର୍କ ରେ ଆମେ

   ନିଜକୁ ଓଡ଼ିଆ ମାନୁ ।


ଆଗ କାଳ ରଜ ଏ ଯୁଗର ରଜ

   ଫରକ ସିନା ଅଧିକ,

ତଥାପି ପ୍ରତ୍ୟେକ ଓଡ଼ିଆ ପ୍ରାଣରେ

    ସ୍ୱତନ୍ତ୍ର ୟାର ମହକ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract