ଶୀତ ଧାନ କ୍ଷେତ
ଶୀତ ଧାନ କ୍ଷେତ
ଶୀତର ସନ୍ଧ୍ୟାରେ ମ୍ଳାନ ଆଲୋକରେ
ଶୁନ୍ୟତାର ପରିବେଶ
ନୀଡ଼ ଫେରା ପକ୍ଷୀ କାକଳି ତାନରେ
ଧରା ଓଠେ ଫିକା ହସ ।
ରିକ୍ତ ଧାନ କ୍ଷେତ ସୁଦୂର ପ୍ରସାରି
ଢାଙ୍କିଛି ଧରାର ତନୁ,
ସଦ୍ୟ ବିଧବାର ଲୋତକ ଧଉଳା
ଶିରୀହୀନ ଅପଘନୁ ।
ଶୁଭୁନାହିଁ ଆଉ କୃଷକ କଣ୍ଠର
ଆବେଗର କଣ୍ଠସ୍ୱର,
ସବୁଜ କ୍ଷେତର ପୂର୍ଣ୍ଣ ବୁକୁ ପରେ
ଉଦ୍ଦାମ ଶ୍ରମ ଦାନର ।
ଲେଉଟି ଯାଇଛି ଶସ୍ୟ ର ସମ୍ଭାର
କୃଷକର ଅଗଣାକୁ,
ଥୁଣ୍ଟା ଧାନ ମୂଳ ଗୁମୁରି ଉଠୁଛି
ଧରି ଅବ୍ୟକ୍ତ କୋହକୁ ।
ଧୀର ସମୀରର ତାଳେ ତାଳେ ଆଉ
ନାଚୁନି ସେ ଧାନ କ୍ଷେତ,
ବାର୍ଦ୍ଧକ୍ୟ ର ଭାରା ମଣିଷକୁ ଦିଏ
ଯେହ୍ନେ ଦୁଃଖ ଅପ୍ରମିତ ।
ଜନମ ନେଇଛି ମରଣ ଆସିଲା
ଜଗତର ରୀତି ବଳେ,
ଦେଇ ନିଜ ତନୁ ମେଣ୍ଟାଇଛି ଭୋକ
ଧାନ କ୍ଷେତ ମନେ ଭାଳେ ।
ଅଳପ ଦିନର ଆୟୁଷ ତାହାର
ବରଷକ ଭୋକ ମାରେ,
ଆଉ କିବା ଲୋଡ଼ା ନିଜ ପାଇଁ ଏଇ
କ୍ଷଣସ୍ଥାୟୀ ଦୁନିଆରେ ।
