STORYMIRROR

Kalpana Mishra

Others

4  

Kalpana Mishra

Others

ଆଜି ଏ ଶୀତରେ

ଆଜି ଏ ଶୀତରେ

1 min
253


ପଉଷ ରାଣୀର ଧୂସର ପଣତ

  ଧରା ବକ୍ଷେ ଉଦ୍ଭାସିତ,

ଝରା ଶିଶିରର ପ୍ରତିଟି ବିନ୍ଦୁରେ

  ଠିକଣା ଲେଖୁଛି ଶୀତ।


ପଦ୍ମ ବନରେ ନିଆଁ ଲାଗିଯାଏ

   କମଳିନୀ ବିଷାଦିତା,

ମୃତ୍ୟୁ ପିୟାସୀ ଭ୍ରମରେ ଦିଏ ସେ

   ବିଦାୟର ଶେଷ ବାର୍ତ୍ତା।


ଶୀତର ଚାଦର ଖୋଲି ଅଂଶୁମାନ

   ବିଳମ୍ବରେ ଆସେ ଉଇଁ,

ବେଗି ସାରି ନିଜ କର୍ତ୍ତବ୍ୟ ଧରାରେ

   ପ୍ରତୀଚିକୁ ଯାଏ ଧାଇଁ।


ସ୍ଵଚ୍ଛ ସରସୀରେ ଧୂମର ଭରମ

  ପ୍ରଭାତ ଶିଶିର ସ୍ନାତା ,

ଝରାପତ୍ରର ଆସ୍ତରଣ ତଳେ

  ମୌନ ଭାଙ୍ଗେ ନୀରବତା ।


ଧାନ୍ୟ କ୍ଷେତ୍ରର ଶୁନଶାନ୍ ସ୍ଥିତି

   ଲିଭିଯାଏ ଝୋଟି ଚିତା,

ପୂର୍ଣ୍ଣ ଅମାର କୃଷକ ମନରେ

   ଜଳାଏ ଇପ୍ସାର ଚିତା।


ବିରହୀ ପ୍ରାଣରେ କାମନାର ଅଗ୍ନି

  ବିରହିଣୀ ଢାଳେ ଲୁହ,

ପରବାସ ଲାଗେ ଅନ୍ଧାରୀ ମୁଲକ

   ଲିଭିଯାଏ ଅର୍ଥ ମୋହ ।


ଶୀତ ଦିଏ ବ୍ୟଥା ଦରିଦ୍ର ପ୍ରାଣରେ

   ଛିଣ୍ଡା କନ୍ଥା ହୁଏ ସାଥୀ,

ଧନୀକ ଶେଯରେ ଉଷୁମ ରେଜେଇ

  କମାଏ ଶୀତର ଭୀତି।


ଶୀତ କାହାପାଇଁ ବ୍ୟଥା ଦିଏ ଆଣି

   କାହାପାଇଁ ଆଣେ ଶାନ୍ତି,

ଆଜି ଏ ଶୀତରେ ଆ'ମୋ ମିତରେ

   ଗାଇବା ଶୀତର ଗୀତି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍